ପେପରଲେସ୍ ହେବ ଜମି ଦଲିଲ ! ୪ ପୃଷ୍ଠାରେ ରହିବ ସୀମିତ :ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଏଣିକି ପେପରଲେସ୍‌ ହେବ ଦଲିଲ୍‌ ପଞ୍ଜୀକରଣ । ଏଥିପାଇଁ ପୁରୁଣା ନିୟମରେ ସଂଶୋଧନ କରାଯିବ । ଏହା ସହ ପଞ୍ଜୀକରଣ ଦଲିଲକୁ ମାତ୍ର ୪ ପୃଷ୍ଠାରେ ସୀମିତ ରଖିବାକୁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆବଶ୍ୟକ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମୋହର ବାଜିଲେ ବଦଳିଯିବ ଜମି ପଞ୍ଜୀକରଣ ଢାଞ୍ଚା। ପେପରଲେସ୍ ଡିଡ୍ ରେଜିଷ୍ଟ୍ରେସନ୍ ବା ଦଲିଲ୍ ପଞ୍ଜୀକରଣ ବ୍ୟବସ୍ଥା ପ୍ରଚଳନ ପାଇଁ ରେଜିଷ୍ଟ୍ରେସନ ଆକ୍ଟ- ୧୯୦୮ରେ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ଉପରେ ବିଭାଗ ବିଚାର ବିମର୍ଶ ଚଳାଇଛି । ଗତକାଲି ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବସିଥିଲା । ପଞ୍ଜୀକରଣଯୋଗ୍ୟ ଦଲିଲ ପାଇଁ Standard Templates ପ୍ରସ୍ତୁତ କରାଯିବ । ନିର୍ଦ୍ଦିଷ୍ଟ ବର୍ଗର ଦଲିଲ ପାଇଁ ସମ୍ପୂର୍ଣ୍ଣ ଇଲେକ୍ଟ୍ରୋନିକ୍‌ ପଞ୍ଜୀକରଣ ବ୍ୟବସ୍ଥା କରାଯିବ ।

ଇଲେକ୍ଟ୍ରୋନିକ୍‌ ଭାବେ ଜାରି ହେବାକୁ ଥିବା ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌ରେ ଇଲେକ୍ଟ୍ରୋନିକ୍‌ ସିଗ୍ନେଚର ଓ ଇଲେକ୍ଟ୍ରୋନିକ୍‌ ସିଲ୍‌ ରହିବ । ଏହାର ଆଇନଗତ ବୈଧତା ଭୌତିକ ପ୍ରମାଣପତ୍ର ସହ ସମାନ ରହିବ । ଏହାସହ ପଞ୍ଜୀକରଣ ରେକର୍ଡକୁ ଲ୍ୟାଣ୍ଡ ରେକର୍ଡ, ରାଜସ୍ୱ ରେକର୍ଡ, ପୌରାଞ୍ଚଳ, ପ୍ଲାନିଂ ଅଥରିଟି, ଅର୍ଥନୈତିକ ଅନୁଷ୍ଠାନ ସମେତ ଅନ୍ୟାନ୍ୟ ସରକାରୀ ବ୍ୟବସ୍ଥା ସହ ଡିଜିଟାଲ୍‌ ଭାବେ ସଂଯୋଗ କରାଯିବ । ପଞ୍ଜୀକରଣ ରେକର୍ଡ, ଲ୍ୟାଣ୍ଡ ରେକର୍ଡ ଓ ମ୍ୟୁଟେଶନ୍‌ ରେଜିଷ୍ଟର ମଧ୍ୟରେ ସମନ୍ୱୟ ରଖାଯିବ । ଫଳରେ ମ୍ୟୁଟେଶନ୍‌ ପ୍ରକ୍ରିୟାକୁ ମଧ୍ୟ ଇଲେକ୍ଟ୍ରୋନିକ୍‌ ଭାବେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କରିବାର ବ୍ୟବସ୍ଥା ହେବ । ଏହାଦ୍ୱାରା ଲୋକଙ୍କୁ ଅଧିକ ସ୍ୱଚ୍ଛ, ସୁବିଧାଜନକ ଓ ଶୀଘ୍ର ପଞ୍ଜୀକରଣ ସେବା ମିଳିପାରିବ ।। ନୂଆ ବ୍ୟବସ୍ଥାରେ ନାଗରିକଙ୍କ ସମ୍ମତି କ୍ରମେ ଆଧାର ମାଧ୍ୟମରେ ପରିଚୟ ଯାଞ୍ଚ କରି ହେବ ।ଫଳରେ ଅଧିକ କାଗଜପତ୍ର ଓ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବନି । ତେବେ ଆଧାରକୁ ବାଧ୍ୟତାମୂଳକ କରାଯିବ ନାହିଁ । ଅଫ୍‌ଲାଇନରେ ମଧ୍ୟ ପରିଚୟ ଯାଞ୍ଚ କରିହେବ । ଏହି ବ୍ୟବସ୍ଥାରେ ପଞ୍ଜୀକରଣ ରେକର୍ଡକୁ ବିଭିନ୍ନ ସରକାରୀ ବ୍ୟବସ୍ଥା ସହ ଡିଜିଟାଲ ଭାବେ ସଂଯୋଗ କରାଯାଇପାରିବ । ପ୍ରସ୍ତାବିତ ସଂଶୋଧନ ମାଧ୍ୟମରେ ପଞ୍ଜୀକରଣ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ, ନାଗରିକକୈନ୍ଦ୍ରିକ, ଦ୍ରୁତ, ସୁରକ୍ଷିତ ଓ ସମ୍ପୂର୍ଣ୍ଣ ଡିଜିଟାଲ୍ କରାଯାଇପାରିବ । ଏହାସହିତ ଭୂ-ରେକର୍ଡ ଓ ଅନ୍ୟାନ୍ୟ ସରକାରୀ ତଥ୍ୟଭଣ୍ଡାର ମଧ୍ୟରେ ଉତ୍ତମ ସମନ୍ୱୟ ସ୍ଥାପନ କରିହେବ ।

You might also like