ପୂର୍ବତନ DGP ଓ୍ବାଇ.ବି. ଖୁରାନିଆଙ୍କୁ ଅଦାଲତ ଅବମାନନା ମାମଲାରେ କାରଣ ଦର୍ଶାଅ ନୋଟିସ୍

ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କ ବିରୋଧରେ ଚାଲିବ ଅଦାଲତ ଅବମାନନା ମାମଲା । କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ । ବାରମ୍ବାର ସୁଯୋଗ ସତ୍ତ୍ୱେ କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ ନହେବା ଏବଂ ମାମଲାରେ ବିଭ୍ରାନ୍ତିମୂଳକ ସତ୍ୟପାଠ ଦାଖଲ ଅଭିଯୋଗକୁ ଗୁରୁତ୍ୱର ସହ ନେଇଛନ୍ତି ହାଇକୋର୍ଟ । ୨୦୨୫, ସେପ୍ଟେମ୍ବର ୨୫ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶକୁ ଖୁରାନିଆ ଜାଣିଶୁଣି ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ହୋଇଛି । ତେଣୁ ଅଦାଲତ ଅବମାନନା ଆଇନର ଧାରା ୧୨ ଅନୁଯାୟୀ, ତାଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ସେ ନେଇ କାରଣ ଦର୍ଶାଇବାକୁ ଖୁରାନିଆଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ । ଯୋଗେଶ ବାହାଦୂର ଖୁରାନିଆ ଅବସର ନେଇ ସାରିଥିବାରୁ ପୋଲିସ ଆଇଜି (ପର୍ସୋନେଲ) ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ପ୍ରଦାନ କରିବେ । ନୋଟିସ୍ ପାଇବାର ୭ ଦିନ ମଧ୍ୟରେ ପୂର୍ବତନ ଡିଜିପି ଜବାବ ରଖିବେ । ତେବେ ଅଗଷ୍ଟ ୧୬ରେ ଅବସର ନେଇଥିଲେ ମଧ୍ୟ ଖୁରାନିଆଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିବ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । ସେପଟେ ଆବେଦନକାରିଣୀ ସାଗରିକା ପରିଡ଼ାଙ୍କୁ ୪ ସପ୍ତାହ ମଧ୍ୟରେ ଚାକିରିରେ ପୁନଃସ୍ଥାପିତ କରିବା ସମ୍ପର୍କିତ ପୂର୍ବ ଆଦେଶ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

You might also like