ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସରେ କ୍ରାଇମବ୍ରାଞ୍ଚ ଟିମ୍
ଭୁବନେଶ୍ୱର (ରାଜ୍ୟକାହାଣୀ )ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ କ୍ରାଇମବ୍ରାଞ୍ଚ ଡିଏସ୍ପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ଶୁକ୍ରବାର ଓସେପା ଅଫିସ୍ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ତଦନ୍ତ ବେଳେ ଅଧିକାରୀମାନେ ଓସେପା ଉପନିର୍ଦ୍ଦେଶିକା ଇତିଶ୍ରୀ ନାୟକଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି। ଏପରକି କ୍ରାଇମବ୍ରାଞ୍ଚ ଟିମ୍ ଓସେପାରୁ ତଥ୍ୟ ଏବଂ ରିପୋର୍ଟ ସଂଗ୍ରହ କରି SCERT ଯିବ ବୋଲି ସୂଚନା ମିଳିଛି।ଏହା ମଧ୍ୟରେ ପାଠ୍ୟପୁସ୍ତକ ମୁଦ୍ରଣ ଓ ବିକ୍ରୟ କାର୍ଯ୍ୟାଳୟର ପୂର୍ବତନ ସିନିୟର ଅଫସେଟ ଅପରେଟର ପ୍ରଦୀପ କୁମାର ମିଶ୍ର କିଛି ଗୁରୁତର ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ମୁଦ୍ରଣାଳୟରେ ପ୍ରୁଫ୍ ରିଡର ନଥିବାରୁ ପ୍ରୁଫ୍ ରିଡିଂ ବିନା ପାଠ୍ୟପୁସ୍ତକ ଛପାଯାଇଛି। ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ପୂର୍ବତନ ପ୍ରୁଫ୍ ରିଡରଙ୍କଠାରୁ ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ପଦୋନ୍ନତି ଦିଆଯାଇଥିଲା । ଏହାଛଡ଼ା କମ୍ ଦାମରେ ପୁରୁଣା ମେସିନ୍ କିଣି କୋଟି କୋଟି ଟଙ୍କାର ହେରଫେର ହୋଇଥିବା ମଧ୍ୟ ସେ ଦାବି କରିଛନ୍ତି । ତେବେ ଏସବୁ କେବଳ ଅଭିଯୋଗ, ଏହାର ସତ୍ୟତା କ୍ରାଇମବ୍ରାଞ୍ଚ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।