ଦିଲ୍ଲୀ ବିଲ୍ଡିଂ ଟ୍ରାଜେଡିରୁ ଶିକ୍ଷା। ଭଙ୍ଗାଯିବ ଦୁର୍ବଳ କୋଠା : ନଗର ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ଵର (ରାଜ୍ୟ କାହାଣୀ) ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଛାତ୍ରଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକ ଆବାସ (ପିଜି) କୋଠା ଭୁଶୁଡି ପଡ଼ିବାରୁ ଏ ଯାଏଁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନେକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଥିବାବେଳେ ଭଗ୍ନାବଶେଷ ମଧ୍ୟରେ ପ୍ରାୟ ୪୦ରୁ ୫୦ ଛାତ୍ର ଫସି ରହିଥିବା ଆଶଙ୍କା କରାଯାଇଛି। ଆହତ ଛାତ୍ରଙ୍କୁ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଏହି ଘଟଣା ପରେ ଓଡ଼ିଶା ସରକାର ଦୁର୍ବଳ କୋଠାଗୁଡ଼ିକୁ ନେଇ ତତ୍ପର ହୋଇଛନ୍ତି। ରାଜ୍ୟରେ ଥିବା ଦୁର୍ବଳ ସରକାରୀ ଓ ବେସରକାରୀ କୋଠାଗୁଡ଼ିକୁ ଚିହ୍ନଟ କରି ଭାଙ୍ଗିବା ନେଇ ପଦକ୍ଷେପ ନିଆଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଦୁର୍ବଳ କୋଠାଗୁଡ଼ିକୁ ନେଇ ସମ୍ପୃକ୍ତ ବିଭାଗକୁ ଚିଠି କରାଯିବ। ସୁରକ୍ଷା ଦୃଷ୍ଟିରୁ ବିପଦପୂର୍ଣ୍ଣ ଥିବା କୋଠାଗୁଡ଼ିକର ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ।ବିଶେଷକରି ଦୁର୍ବଳ ସ୍କୁଲ ଓ ଅଙ୍ଗନଓ୍ୱାଡି କେନ୍ଦ୍ରଗୁଡ଼ିକୁ ଭାଙ୍ଗିବା ନେଇ ପୂର୍ବରୁ ଚିଠି କରାଯାଇଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଛାତ୍ରୀଛାତ୍ର ଓ ଶିଶୁଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଦୁର୍ବଳ କୋଠାଗୁଡ଼ିକ ବିରୋଧରେ ଶୀଘ୍ର ପଦକ୍ଷେପ ନିଆଯିବ।