ଗୁଣିଆ କଥା ମାନି ନାଗସାପକୁ କାମୁଡ଼ି ମାରିଦେଲେ ଯୁବକ
ଭୁବନେଶ୍ୱର (ରାଜ୍ୟ କାହାଣୀ )ସାପ କାମୁଡ଼ିଲେ ଲୋକେ ସାପଠାରୁ ଦୂରେଇ ଯାଆନ୍ତି । ହେଲେ ଏଠାରେ ଘଟିଛି ଏହାର ସମ୍ପୂର୍ଣ୍ଣ ବିପରୀତ । ନାଗ ସାପ ଉପରେ ଗୋଡ଼ ପଡ଼ିଯିବା ପରେ ଭୟରେ ସାପଟିକୁ ହାତରେ ଧରି ତା ଫଣାକୁ ଦାନ୍ତରେ ଚୋବାଇ ଛିଣ୍ଡାଇ ଦେଇଥିବା ଜଣେ ବ୍ୟକ୍ତି ଏବେ ଡାକ୍ତରଖାନାରେ । ସୂଚନା ଅନୁସାରେ, ପୂର୍ବରୁ ଜଣେ ଗୁଣିଆ ତାଙ୍କୁ କହିଥିଲେ ଯେ, ସାପ କାମୁଡ଼ିଲେ ସାପକୁ ମଧ୍ୟ କାମୁଡ଼ିଦେଲେ ବିଷ ରୁହେ ନାହିଁ। ଏହି କଥାକୁ ବିଶ୍ୱାସ କରି ସେ ଭୟରେ ନାଗ ସାପଟିକୁ ହାତରେ ଧରିଥିଲେ। ଏହାପରେ ସାପର ଫଣାକୁ ଦାନ୍ତରେ ଚୋବାଇ ଛିଣ୍ଡାଇ ଦେଇଥିଲେ। ଫଳରେ ସାପଟି ମରିଯାଇଥିଲା।
ଅନ୍ୟପଟେ ଘଟଣା ପରେ ଧରମସିଙ୍ଗ ମଧ୍ୟ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ଗୋବିନ୍ଦପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ପରୀକ୍ଷା ପରେ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା ଜଣାପଡ଼ିଥିଲେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତାଙ୍କୁ ୨୪ ଘଣ୍ଟା ଡାକ୍ତରୀ ନିରୀକ୍ଷଣରେ ରଖାଯାଇଥିବା ଜଣାପଡିଛି। ତେବେ ସାପକୁ କାମୁଡ଼ିଲେ ବିଷ ନଷ୍ଟ ହୋଇଯାଏ- ଏହା ସମ୍ପୂର୍ଣ୍ଣ ଭ୍ରାନ୍ତ ଧାରଣା। ସାପ କାମୁଡ଼ିଲେ ଅନ୍ଧବିଶ୍ୱାସ, ଗୁଣିଆ କିମ୍ବା ଘରୋଇ ଉପଚାର ଉପରେ ନିର୍ଭର ନକରି ତୁରନ୍ତ ଡାକ୍ତରଖାନା ଯିବା ହିଁ ସବୁଠାରୁ ଜରୁରୀ।.