ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଅସ୍ୱୀକାର କଲେ ସୌମ୍ୟଙ୍କ ମହିଳା ବନ୍ଧୁ
ସୌମ୍ୟଙ୍କ ମହିଳା ବନ୍ଧୁଙ୍କୁ NHRC ର ପଚରା ଉଚରା ଶେଷ । ସାଢ଼େ ଚାରି ଘଣ୍ଟା ଧରି ଚାଲିଥିଲା ପଚରା ଉଚରା । ସୋମ୍ୟଙ୍କ ନାଁରେ ପୂର୍ବରୁ ମହିଳା ଥାନାରେ ଯେଉଁ ଅଭିଯୋଗ କରିଥିଲେ, ସେ ବାବଦରେ ପଚରା ଯାଇଥିବା ସୂଚନା । କହିଲେ ମୁଁ ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଚାଁହୁନି । ସୁରକ୍ଷା ବଳୟରେ ଜଣେ ଲେଡି କନ୍ସଟେବଳଙ୍କ ସହ ଗୋଟିଏ ଗାଡ଼ିରେ ଫେରିଗଲେ ଯୁବତୀ । ସୂଚନାନୁଯାୟୀ, ପୂର୍ବରୁ ବାଲିଅନ୍ତା ଥାନାର ତତ୍କାଳୀନ ଆଇଆଇସି ଅନିଲ ପରିଡାଙ୍କୁ ମଧ୍ୟ ଜେରା କରାଯାଉଛି। ହାଜର ହୋଇଛନ୍ତି ଜୋନ୍ -୪ ଏସିପି ଅଭିମନ୍ୟୁ ନାୟକ। ପୂର୍ବରୁ ସୌମ୍ୟଙ୍କ ସାଙ୍ଗ ଓ ଅନ୍ୟମାନଙ୍କ ବୟାନ ରେକର୍ଡ କରିଛି ଏନଏଚଆରସି।ତେବେ NHRCଙ୍କ ତଦନ୍ତକାରୀ ଟିମ୍ ତୃତୀୟ ଦିନରେ ୬ଜଣଙ୍କୁ ଜେରା କରିଥିଲେ । ସୌମ୍ୟଙ୍କ ସାଙ୍ଗ ଓମପ୍ରକାଶ ରାଉତ, ୨ ପୀଡ଼ିତା ଯୁବତୀ ଏବଂ ମିନି ଟ୍ରକ୍ ଚାଳକଙ୍କୁ ଜେରା ହୋଇଥିଲା । ଅପରାଧସ୍ଥଳରୁ ହସ୍ପିଟାଲ ନେବା ଭିତରେ ସୌମ୍ୟଙ୍କ ଅସ୍ବାଭାବିକ ମୃତ୍ୟୁର ଅସଲ ରହସ୍ୟ ଖୋଲିଥିଲ ମିନି ଟ୍ରକ୍ ଚାଳକ । NHRC ଟିମ୍ ସାମ୍ନାରେ ସେ କହିଥିଲେ, ହଂସପାଳ-ନିମାପଡ଼ା ରାସ୍ତାରେ ଖାଲି ଟ୍ରକ ନେଇ କାକଟପୁରରୁ ବାହାରିଥିଲେ । ମଞ୍ଚେଶ୍ବରରୁ ଡାଲାରେ ଚୋକଡ଼ ଲଦା ଯିବା ପରେ ପୁଣି କାକଟପୁର ଫେରିଥାନ୍ତେ । ହେଲେ, ବାଲିଅନ୍ତା ନିକଟରେ ଗହଳି ଦେଖି ସେ ସ୍ପିଡ୍ କମ୍ କରିଥିଲେ ।
ହଠାତ୍ ଜଣେ ପୋଲିସ ତାଙ୍କ ଆଡ଼କୁ ମାଡ଼ି ଆସିଥିଲେ । ଜଣେ ଯୁବକଙ୍କୁ ଟ୍ରକ୍ରେ ଲଦି ହସ୍ପିଟାଲ ନେବାକୁ କହିଥିଲେ । ଡ୍ରାଇଭର ଜଣକ ବ୍ୟସ୍ତ ଥିଲେ ହେଁ, ପୋଲିସ ସାମ୍ନାରେ ନିରୁପାୟ ହୋଇଗଲେ । ପରେ କିଛି ଲୋକ ସୌମ୍ୟଙ୍କୁ ଏକ ବାଡ଼ିରେ ଲଟକାଇ ଟ୍ରକ ଡାଲରେ ଚଢ଼ାଇଥିଲେ । ଜଣେ ବି ପୋଲିସ କର୍ମଚାରୀ ଟ୍ରକ୍ ଡାଲାକୁ ଚଢ଼ିଲେନି । ଜଣେ ସାଦା ପୋଷାକଧାରୀ ପୋଲିସ ତାଙ୍କ ସହ ଟ୍ରକର ଆଗ ସିଟ୍ରେ ବସିଲେ । ଟ୍ରକ୍ ଆଗରେ ଓ ପଛରେ ୨ ପୋଲିସ ଭ୍ୟାନ୍ ଗଲା । ଟ୍ରକ୍ ଡାଲାରେ ସୌମ୍ୟଙ୍କ ସହ ୬ରୁ ୭ଜଣ ଯୁବକ ଉପସ୍ଥିତ ଥିଲେ । ସେମାନେ ସୌମ୍ୟଙ୍କୁ ରାସ୍ତାସାରା ନିର୍ଘାତ ମାଡ଼ ମାରୁଥିବା ଡ୍ରାଇଭର ଜଣକ କହିଥିଲେ ।