କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ମଞ୍ଜୁରୀ, ଭିତ୍ତିଭୂମି ବିକାଶର ଏକ ନୂତନ ଅଧ୍ୟାୟ ଆରମ୍ଭ : ମୁଖ୍ୟମନ୍ତ୍ରୀ
ଓଡିିଶାକୁ କେନ୍ଦ୍ରର ନୂଆ ଭେଟି। ରାଜ୍ୟରେ ନୂଆ ଉପକୂଳ ରାଜପଥକୁ କ୍ୟାବିନେଟ୍ ମଞ୍ଜୁରୀ। ରାମେଶ୍ବରରୁ ପାରାଦୀପ ୧୬୩ କିମି ରାସ୍ତା ପାଇଁ କେନ୍ଦ୍ରର ମଞ୍ଜୁରୀ ।ଖର୍ଚ୍ଚ ହେବ ୮ ହଜାର ୩୦୦ କୋଟିରୁ ଅଧିକ ଟଙ୍କା । ଓଡ଼ିଶାର ଯୋଗାଯୋଗ ଏବଂ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସମ୍ବନ୍ଧୀୟ କ୍ୟାବିନେଟ୍ କମିଟି (CCEA) ଓଡ଼ିଶାର ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେ ନିର୍ମାଣ ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇଛନ୍ତି। ରାମେଶ୍ବରରୁ କୋଣାର୍କ ୭୯ କିମି ପାଇଁ ୪ ଲେନ୍ ରାସ୍ତାକୁ ଅନୁମୋଦନ ମିଳିଛିି । କୋଣାର୍କରୁ ପାରାଦୀପ ୮୦ କିମି ୨ ଲେନ୍ ରାସ୍ତା ପାଇଁ ଅନୁମୋଦନ ମିଳିଛି। ନୂଆ ଉପକୂଳ ରାଜପଥ ଏନଏଚ୍- ୧୬ ଓ ଏନଏଚ୍- ୩୧୬ର ବିକଳ୍ପ ପଥ ହେବ । ଏହି ରାଜପଥରେ ଘଣ୍ଟା ପ୍ରତି ୧୦୦ କିମି ବେଗରେ ଯାତ୍ରା ନେଇ ରାସ୍ତାର ନକ୍ସା ପ୍ରସ୍ତୁତ କରାଯାଇଛି। ଉପକୂଳ ଜିଲ୍ଲା ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲା ଦେଇ ଏହି ରାଜପଥ ଯିବ। ରାମେଶ୍ବରରୁ ପାରାଦୀପ ଯାତ୍ରା ସମୟ ପ୍ରାୟ ଅଢ଼େଇ ଘଣ୍ଟା କମିବାର ସମ୍ଭାବନା ରହିଛି।ଏହି ହାଇୱେ ୯ଟି ଅର୍ଥନୈତିକ କେନ୍ଦ୍ର ଏବଂ ୫ଟି ଲଜିଷ୍ଟିକ୍ କେନ୍ଦ୍ରକୁ ଯୋଡ଼ିବ । ଯାହା ଦ୍ୱାରା ଦେଶର ଲଜିଷ୍ଟିକ୍ ପ୍ରଦର୍ଶନ ସୂଚକାଙ୍କ (LPI) ରେ ସୁଧାର ଆସିବ। ଦ୍ରୁତ ଏବଂ ଅପ୍ରତିହତ ଯାତ୍ରା ଯୋଗୁଁ ଗାଡ଼ି ଚଳାଚଳ ଖର୍ଚ୍ଚ କମିବା ସହ ବ୍ୟାପକ ପରିମାଣର ଇନ୍ଧନ ସଞ୍ଚୟ ହେବ। ଫଳରେ କାର୍ବନ ନିର୍ଗମନ ମଧ୍ୟ ହ୍ରାସ ପାଇବ । ଯାତ୍ରୀ ଏବଂ ମାଲ୍ ପରିବହନ ସହଜ ହେବା ଦ୍ୱାରା ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟବସାୟ, ରୋଜଗାର ଏବଂ ପର୍ଯ୍ୟଟନ ଶିଳ୍ପର ଅଭୂତପୂର୍ବ ବିକାଶ ହେବ । ତେବେ ଓଡିଶାର ଭିତ୍ତିଭୂମି ବିକାଶର ଏକ ନୂତନ ଅଧ୍ୟାୟ ଆରମ୍ଭ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି। ଏହା ଉପକୂଳ ଜିଲ୍ଲାଗୁଡ଼ିକୁ ମଧ୍ୟରେ ଏହି ଐତିହାସିକ ପ୍ରକଳ୍ପ ସଂଯୋଗୀକରଣକୁ ସୁଦୃଢ଼ କରିବ। ପର୍ଯ୍ୟଟନ, ବାଣିଜ୍ୟ, ଲଜିଷ୍ଟିକ୍ସ ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ରାଜ୍ୟର ବିକାଶ ଏବଂ ସମୃଦ୍ଧି ପ୍ରତି ସେମାନଙ୍କର ଅବିଚ୍ଛିନ୍ନ ସମର୍ଥନ ଏବଂ ପ୍ରତିବଦ୍ଧତା ପାଇଁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି।