କଳିଙ୍ଗରେ ବୌଦ୍ଧ ଧର୍ମର ପ୍ରସାରକଳିଙ୍ଗରେ ଅଶୋକଙ୍କ ଶାସନ
କଳିଙ୍ଗ ଯୁଦ୍ଧ ପରେ ତତ୍କ୍ଷଣାତ୍ କଳିଙ୍ଗ ମୌର୍ଯ୍ୟ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ହେବା ସହ ଗୋଟିଏ ନୂତନ ତଥା ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେଲା ଏବଂ ରାଜବଂଶୀୟ କୁମାର (ରାଜପୁତ୍ର)ଙ୍କ ଉପ-ରାଜତ୍ୱ ଅଧୀନରେ ରହିଲା। ଏହାର ମୁଖ୍ୟ ଦପ୍ତର ତୋଷାଳୀଠାରେ ପ୍ରତିଷ୍ଠା ହେଲା। କଳିଙ୍ଗର ପରାଜୟ ପରେ ଅଶୋକ ଅସୁମାରି ଲୁହ ବୁହାଇଥିବା କୁହାଗଲେ ମଧ୍ୟ ସେ କଳିଙ୍ଗକୁ ଏକ ସ୍ୱାଧୀନ ରାଜ୍ୟ ଭାବେ ଫେରାଇଦେବା କଥା ଚିନ୍ତା କରିପାରି ନ ଥିଲେ। କାରଣ ସେ ଜଣେ କଠୋର ସାମ୍ରାଜ୍ୟବାଦୀ ଥିଲେ। ତେଣୁ ସେ କଳିଙ୍ଗକୁ ଜୟ କରି ନିଜ ସାମ୍ରାଜ୍ୟ ସହ ମିଶାଇ ରଖିଲେ। କଳିଙ୍ଗ ରାଜାଙ୍କ କେବଳ ଗୌରବ ତଥା ପ୍ରତିଷ୍ଠା ଛଡ଼ାଇ ନେଇ ସେ ସନ୍ତୁଷ୍ଟ ହୋଇନଥିଲେ, ବରଂ ହିଂସ୍ର ଭାବରେ ତାଙ୍କର ସମଗ୍ର ରାଜ୍ୟ ମଧ୍ୟ ଛଡ଼ାଇ ନେଇଥିଲେ। ଯଦିଓ ବିଶ୍ୱବିଜୟୀ ଅଶୋକଙ୍କ ମନକୁ ‘ଧର୍ମବିଜୟ’ ଚିନ୍ତାଧାରା ଆସିଥିଲା, କିନ୍ତୁ କଳିଙ୍ଗ ବିଜୟଟି ନିଶ୍ଚିତ ଭାବେ ତାଙ୍କ ‘ଅସୁର ବିଜୟ’ର ଏକ ସ୍ପଷ୍ଟ ଉଦାହରଣ ଥିଲା।
ଅଶୋକଙ୍କ ଅଶ୍ରୁପାତ କଳିଙ୍ଗର ରାଜନୈତିକ ବିପର୍ଯ୍ୟୟ ପାଇଁ ନୁହେଁ, ବରଂ ଧାର୍ମିକ ତଥା ସାଂସ୍କୃତିକ ବିପର୍ଯ୍ୟୟ ପାଇଁ ହିଁ ଥିଲା। ସେ କେବଳ ରାଜପରିବାର କିମ୍ବା ଯୋଦ୍ଧାଶ୍ରେଣୀର ଦୁଃଖକଷ୍ଟ ପାଇଁ ଦୁଃଖୀ ନଥିଲେ, ବରଂ ବ୍ରାହ୍ମଣ, ଶ୍ରମଣ ଓ ବୌଦ୍ଧ ଉପାସକ (ସାଧାରଣ ସ୍ତରର) ଙ୍କ ଦୁର୍ଦ୍ଦଶା ଦେଖି ତାଙ୍କ ହୃଦୟ ବ୍ୟଥିତ ହୋଇଥିଲା। ସ୍ଵାଧୀନତା ଓ ଦେଶପ୍ରେମର ପ୍ରଖର ଜ୍ଞାନ ଥିବା କଳିଙ୍ଗର ଗୌରବବୋଧ ସମ୍ପନ୍ନ ଜନତାଙ୍କ ସହ ସମବେଦନାର ସହ ବ୍ୟବହାର ସମୟରେ ଅଶୋକ ସେମାନଙ୍କୁ ପ୍ରଜାଭାବେ ଶାସନ କରିବା ପରିବର୍ତ୍ତେ ମିତ୍ର ଅଥବା ସହଯୋଗୀ ଭାବରେ ଗ୍ରହଣ କରିଥିଲେ ଅଧିକ ଉଚିତ ହୋଇଥା’ନ୍ତା ।
ଏହା ନିଶ୍ଚିତ ଯେ କଳିଙ୍ଗବାସୀମାନେ ଉପରକୁ ବିରୋଧ ନକରି ନୀରବରେ ଘଟଣାକ୍ରମକୁ ସହ୍ୟ କରି ନେଇଥିଲେ । ମାତ୍ର ଭିତରେ ତଥା ବାସ୍ତବ ପକ୍ଷେ ସେମାନେ ମଗଧର ଶାସନ ଓ ଅତ୍ୟାଚାର ନିମନ୍ତେ ଖୁବ୍ ଅସନ୍ତୁଷ୍ଟ ଥିଲେ । ଅଶୋକ ନିଃସନ୍ଦେହରେ ପରିସ୍ଥିତି ସମ୍ପର୍କରେ ସମ୍ପୂର୍ଣ୍ଣ ସଚେତନ ଥିଲେ ଏବଂ ଦୁଃଖର ଉପଶମ ନିମନ୍ତେ ଅତ୍ୟନ୍ତ ଯତ୍ନ ସହ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଇଥିଲେ ।
ପରିସ୍ଥିତିର ସୁଦୃଢ଼ୀକରଣର ମଧ୍ୟ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିଥିଲେ । ଦ୍ଵାଦଶ ଶିଳାଲେଖ, ଯେଉଁଥିରେ କଳିଙ୍ଗ ଯୁଦ୍ଧର ବିବରଣୀ ବିଶଦଭାବେ ବର୍ଣ୍ଣନା କରାଯାଇଛି, ତାହାକୁ କଳିଙ୍ଗରେ କେଉଁଠାରେ ମଧ୍ୟ ଲିପିବଦ୍ଧ କରାଯାଇ ନଥିଲା । ବରଂ କଳିଙ୍ଗର ରାଜନୈତିକ ପରିସ୍ଥିତିକୁ ଦେଖି ସେ ଦୁଇଟି ସ୍ଵତନ୍ତ୍ର କଳିଙ୍ଗ ଅଭିଲେଖ କଳିଙ୍ଗରେ ଖୋଦିତ କରିଥିଲେ । ଏହି ଅଭିଲେଖରେ କଳିଙ୍ଗ ଲୋକମାନଙ୍କ ସହିତ ଆଟବିକମାନଙ୍କର ମଧ୍ୟ ସମାଧାନ ନିମନ୍ତେ ଅଶୋକଙ୍କର ଆନ୍ତରିକ ତଥା ନିଷ୍ପାପ ଇଚ୍ଛାକୁ ପ୍ରକାଶ କରାଯାଇଥିଲା । ଏଥିରେ ମଧ୍ୟ ତାଙ୍କର ଏହି ନୂତନ ପ୍ରଜାମାନଙ୍କୁ ସରକାରୀ କର୍ମଚାରୀଙ୍କ ଉତ୍ସୃଙ୍ଖଳତା ଓ ଅତ୍ୟାଚାରରୁ ଆଇନଗତ ସୁରକ୍ଷା ତଥା ସଂରକ୍ଷଣ ଯୋଗାଇ ଦିଆଯାଇଥିବା ବିଷୟ ଉଲ୍ଲେଖ କରାଯାଇଥିଲା । ସଂକ୍ଷେପରେ, ଅଶୋକଙ୍କ ଶାସନ ପ୍ରଜାମାନଙ୍କୁ ନିଜ ସନ୍ତାନ ଭଳି ମନେ କରି ସେମାନଙ୍କ ହିତ ନିମନ୍ତେ ପ୍ରଶାସନିକ ପରିବର୍ତ୍ତନ ଦ୍ଵାରା ସମସ୍ତ ସମସ୍ୟା ଦୂର କରିବାକୁ ଚାହୁଁଥିଲା ।