ଆଗାମୀ ୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ : ମୁଖ୍ୟମନ୍ତ୍ରୀ
କଟକସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲଠାରେ ଆୟୋଜିତ ଗୁରୁ ଦିବସ ସମାରୋହରେ ଯୋଗଦେଇ ପିଲାମାନଙ୍କ ସହିତ ବାର୍ତ୍ତାଳାପ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ନିଜର କ୍ୟାରିୟର ଗଢିବା ଉପରେ ଫୋକସ୍ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଛାତ୍ର ଭାବରେ ତୁମ ମାନଙ୍କର ପ୍ରଥମ ଦାୟିତ୍ୱ ହେଉଛି ଭଲ ପାଠ ପଢି ଦକ୍ଷତା ହାସଲ କରିବ ଏବଂ ନିଜର ଓ ଦେଶର ବିକାଶରେ ଯୋଗଦାନ ରଖିବ। ଏହା ହେଉଛି ଆମ ଶିକ୍ଷା ପ୍ରକ୍ରିୟାର ମୂଳ ଉଦ୍ଦେଶ୍ୟ। ତେଣୁ, ଅନ୍ୟ କୌଣସି ବିଷୟରେ ଯାହା ତୁମର କ୍ୟାରିୟର ଗଢିବାରେ ବାଧା ସୃଷ୍ଟି କରିବାର ସମ୍ଭାବନା ରହିଛି ସେଥିରୁ ଦୂରେଇ ରହିବାକୁ ହେବ। ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାରଙ୍କ ସଂକଳ୍ପ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ‘କେଜି ରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନାର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଶିଶୁ ବାଟିକାରୁ ଆରମ୍ଭ କରି ସ୍ନାତକୋତ୍ତର ପର୍ଯ୍ୟନ୍ତ ଶିକ୍ଷାକୁ ସାର୍ବଜନୀନ ନିଃଶୁଳ୍କ କରିଛି।୧୨,୦୦୦ କୋଟି ଟଙ୍କା ବ୍ୟୟରେ ୨,୨୦୦ଟି ବିଶ୍ୱସ୍ତରୀୟ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ନିର୍ମାଣ କରାଯାଉଛି ଏବଂ ପ୍ରାକ୍-ବିଦ୍ୟାଳୟ ପିଲାଙ୍କ ପାଇଁ ୪୫,୦୦୦ ଶିଶୁ ବାଟିକା ଖୋଲାଯାଇଛି। ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଓ ପାଠ୍ୟପୁସ୍ତକ ଯୋଗାଣ, ଆଦିବାସୀ ପିଲାଙ୍କ ପାଇଁ ‘ଶହିଦ୍ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା’ ଏବଂ ଆଗାମୀ ୩ ବର୍ଷ ମଧ୍ୟରେ ୪୫,୦୦୦ ଶିକ୍ଷକ ପଦବୀ ପୂରଣ ନେଇ ସରକାରୀ ପ୍ରତିଶ୍ରୁତିବଦ୍ଧତାକୁ ସେ ଦୋହରାଇଛନ୍ତି।