ବିଶ୍ୱ ଟେଲିଭିଜନ ଦିବସ ୨୦୨୫
ପ୍ରତିବର୍ଷ ନଭେମ୍ବର ୨୧ ତାରିଖରେ ବିଶ୍ୱ ଟେଲିଭିଜନ ଦିବସ ପାଳନ କରାଯାଏ। ଏହି ଦିବସ ଟେଲିଭିଜନକୁ ସୂଚନା ଦେବା, ଶିକ୍ଷା ଦେବା ଏବଂ ଜନମତକୁ ପ୍ରଭାବିତ କରିବା ଏବଂ ଯୋଗାଯୋଗ ତଥା ବିଶ୍ୱ ବୁଝାମଣାକୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବରେ ସ୍ୱୀକୃତି ଦିଏ।୧୯୯୬ର ପ୍ରଥମାର୍ଦ୍ଧରେ ପ୍ରଥମେ ବିଶ୍ୱ ଟେଲିଭିଜନ ମଞ୍ଚ ଗଠନ କରାଯାଇଥିଲା। ପରେ ଜାତିସଂଘ ସାଧାରଣ ପରିଷଦ ସେହି ବର୍ଷ ୨୧ ନଭେମ୍ବରରେ ବିଶ୍ୱ ଟେଲିଭିଜନ ଦିବସ ପାଳନ କରାଯିବା ଲାଗି ଘୋଷଣା କରିଥିଲା। ଜାତିସଂଘ ଏହାର ସଦସ୍ୟ ରାଷ୍ଟଙ୍କୁ ଆମନ୍ତ୍ରଣ କରି ବିଶ୍ୱରେ ସବୁ ଦେଶ ମଧ୍ୟରେ ଟେଲିଭିଜନ କାର୍ଯ୍ୟକ୍ରମର ଆଦାନପ୍ରଦାନକୂୁ ପ୍ରୋତ୍ସାହିତ କରିବା ସହ ଏହା ମାଧ୍ୟମରେ କିପରି ବିଶ୍ୱରେ ଅର୍ଥନୀତି, ସୁରକ୍ଷା, ଶାନ୍ତି ,ସାମାଜିକ ବିକାଶ ଓ ସାଂସ୍କୃତିକ ପରିବର୍ତ୍ତନକୁ ଆଗକୁ ନେଇ ହେବ ତା’ ଉପରେ ଗୁରୁତ୍ୱ ଦେଇ ଏହି ଦିବସ ପାଳନ କରିଥିଲା।ଭାରତରେ ଯେଉଁଠାରେ ୨୩୦ ନିୟୁତରୁ ଅଧିକ ଟେଲିଭିଜନ ପରିବାର ପ୍ରାୟ ୯୦୦ ନିୟୁତ ଦର୍ଶକଙ୍କ ପାଖରେ ପହଞ୍ଚନ୍ତି, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ (ଏମଆଇବି) ଏବଂ ଏହାର ସାର୍ବଜନୀନ ପ୍ରସାରଣ ନେଟୱାର୍କ, ପ୍ରସାର ଭାରତୀ ତତ୍ତ୍ୱାବଧାନରେ ଏହି ଦିବସ ପାଳନ କରାଯାଏ। ଦୂରଦର୍ଶନ ଏବଂ ଅଲ୍ ଇଣ୍ଡିଆ ରେଡିଓ ଦ୍ୱାରା କାର୍ଯ୍ୟକଳାପ ଏବଂ ପ୍ରସାରଣ କାର୍ଯ୍ୟକ୍ରମଗୁଡ଼ିକ ସାର୍ବଜନୀନ ସେବା ଯୋଗାଯୋଗ, ବିକାଶ ବାର୍ତ୍ତାର ପ୍ରସାର ଏବଂ ଜାତୀୟ ସଂହତିକୁ ପ୍ରୋତ୍ସାହିତ କରିବାରେ ଟେଲିଭିଜନର ସ୍ଥାୟୀ ଭୂମିକାକୁ ଉଜ୍ଜ୍ୱଳ କରିଥାଏ।ଟେଲିଭିଜନ ଏକ ପ୍ରଭାବଶାଳୀ ମାଧ୍ୟମ ଯାହା ଲୋକମାନଙ୍କ ମଧ୍ୟରେ ଯୋଗାଯୋଗ କରିବାରେ ମୁଖ୍ୟ ଭୂମିକା ନିଭାଉଛି। ସାଂସ୍କୃତିକ ବିଭେଦତାକୁ ହ୍ରାସ କରିପାରୁଛି। ବିଶ୍ୱରେ ଯେଉଁ ସମସ୍ୟା ଲୋକମାନଙ୍କୁ ବେଶି ପ୍ରଭାବିତ କରୁଛି ତାହାକୁ ଟେଲିଭିଜନ ଦ୍ୱାରା କିପରି ଦୂର କରାଯାଇପାରିବ ତାହା ଏହି ଦିବସର ଏକ ଲକ୍ଷ୍ୟ ଭାବେ ଗ୍ରହଣ କରାଯାଇଛି।