ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର । ଜଙ୍ଗଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାରକୁ ନେଇ ସାରା ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ । ମୃତ ନାବାଳିକା ହେଉଛନ୍ତି ଦେବକୁମାର ଗ୍ରାମର ଅରୁଣ ଜେନାଙ୍କ ଝିଅ ଦୀପିକା ଜେନା । ପୀଡ଼ିତାଙ୍କ ମୁହଁ, ଛାତି ଓ ପେଟ ଜଳିଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦରପୋଡ଼ା ଶବ ଉଦ୍ଧାର କରିଛି । ସୂଚନା ଅନୁଯାୟୀ, ଜଳେଶ୍ୱର ଥାନା ପଶ୍ଚିମବାଡ଼ ପଞ୍ଚାୟତର ଜଣେ ୧୪ ବର୍ଷୀୟା ନାବାଳିକା ସନ୍ଧ୍ୟା ସମୟରେ ପାଖ ପଶ୍ଚିମବାଡ଼ ମାର୍କେଟକୁ ସାଙ୍ଗ ସହିତ ଚାଟ୍ ଖାଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ଏହାପରେ ପରିବାର ପକ୍ଷରୁ ଝିଅକୁ ଶୁଲତାନପୁର ଗ୍ରାମର ଚନ୍ଦ୍ରକାନ୍ତ ଜେନା ଅପହରଣ କରିଥିବା ନେଇ ନାମ୍ପ ଫାଣ୍ଡିରେ ଅଭିଯୋଗ କରିବା ସହ ଉକ୍ତ ଯୁବକକୁ ପୁଲିସ ଜିମା ଦେଇଥିଲେ । ମାତ୍ର ପୁଲିସ ଉକ୍ତ ଯୁବକ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି କିମ୍ବା ଝିଅକୁ ନଖୋଜି ଯୁବକକୁ ଛାଡି ଦେଇଥିଲା । ଆଜି ବର୍ତ୍ତନା ପଞ୍ଚାୟତ ହେରାପଦା ସ୍ଥିତ ଏକ ଧାନ ବିଲ ଭିତରୁ ନାବାଳିକାର ଅର୍ଦ୍ଧ ଦଗ୍ଧ ଶବ ମିଳିଛି । ଝିଅର ଚପଲ ଓ ଓଢଣୀ ଦୂରରେ ପଡ଼ିଥିବା ଦେଖି ପରିବାର ଲୋକେ ଶବ ଚିହ୍ନଟ କରିଛନ୍ତି । ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ପରେ ପ୍ରମାଣ ନଷ୍ଟ କରିବାକୁ ଜାଳି ଦେଇଥିବା ଅନୁମାନ କରାଯାଉଛି । ଏହି ଘଟଣାରେ ସନ୍ଦେହରେ ଜଣେ ଯୁବକଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି । ତେବେ ନାବାଳିକାଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ କ’ଣ ଏବଂ ଏହି ଘଟଣାରେ କାହାର ସମ୍ପୃକ୍ତି ରହିଛି, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।