୩ ମାସ ମଧ୍ୟରେ ରାୟ ଦେବାକୁ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟର ନିର୍ଦ୍ଦେଶ
ହାଇକୋର୍ଟଗୁଡ଼ିକ ପାଇଁ କଡ଼ା ଡେଡ୍ ଲାଇନ୍ ରଖିଲେ ସୁପ୍ରିମକୋର୍ଟ! । ଦେଶର ନ୍ୟାୟିକ ବ୍ୟବସ୍ଥାରେ ଏକ ବଡ଼ ଧରଣର ସଂସ୍କାର ଆଣିବା ସହ ସାଧାରଣ ଜନତାଙ୍କ ବ୍ୟକ୍ତିଗତ ସ୍ୱାଧୀନତାକୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ ସ୍ମରଣୀୟ ଏବଂ ଐତିହାସିକ ନିର୍ଦ୍ଦେଶ ।ଆଦେଶ ସଂରକ୍ଷଣ ରଖିବାର ତିନି ମାସ ମଧ୍ୟରେ ଚୂଡ଼ାନ୍ତ ରାୟ ପ୍ରଦାନ କରିବାକୁ ସମସ୍ତ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନ ବିଚାରପତି ସୂର୍ୟ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ନିଷ୍ପତ୍ତିରେ ବିଳମ୍ବ ହେଲେ ସମ୍ପୃକ୍ତ ପକ୍ଷଙ୍କର ଅପୂରଣୀୟ କ୍ଷତି ହୁଏ। ବ୍ୟକ୍ତିଗତ ସ୍ୱାଧୀନତା ସହିତ ଜଡ଼ିତ ମାମଲାରେ ତ୍ୱରାନ୍ୱିତ କାର୍ୟ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟ ସ୍ୱତନ୍ତ୍ର ଭାବରେ ନିର୍ଦ୍ଦେଶ ଦେଇଛନ୍ତି। ଜାମିନ ଆବେଦନ ଉପରେ ରାୟ ସେହିଦିନ ଘୋଷଣା କରାଯିବା ଉଚିତ। ନଚେତ ଅଦାଲତ ପରଦିନ ହିଁ ରାୟ ଶୁଣାଇବେ। ଜାମିନ କିମ୍ବା ଦଣ୍ଡାଦେଶ ସ୍ଥଗିତ ରଖିବାର ଆଦେଶ ଘୋଷଣା ହେବା ପରେ ଜେଲ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଜଣାଇବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଝାଡ଼ଖଣ୍ଡର ଏକ ମାମଲାର ଶୁଣାଣି ବେଳେ, ୨୦୨୨ ମସିହାରୁ ଅନେକ ଆବେଦନ ପେଣ୍ଡିଂ ରହିଥିଲା, ସେହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ କୌଣସି ରାୟ ସଂରକ୍ଷିତ ରଖିବାର ୩ ମାସ ମଧ୍ୟରେ ତାହା ପ୍ରକାଶ କରିବେ । ଯଦି ଏଥିରେ ବିଳମ୍ବ ହୁଏ, ତେବେ ରେଜିଷ୍ଟ୍ରାର ଜେନେରାଲ ଏହି ମାମଲାକୁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସାମ୍ନାରେ ରଖିବେ । ମୁଖ୍ୟ ବିଚାରପତି ୨ ସପ୍ତାହ ମଧ୍ୟରେ ରାୟ ପ୍ରକାଶ କରିବା ସୁନିଶ୍ଚିତ କରିବେ କିମ୍ବା ସେହି ମାମଲାକୁ ଅନ୍ୟ କୌଣସି ବେଞ୍ଚ୍ କୁ ହସ୍ତାନ୍ତର କରିବେ।