ଅଜିତ ଡୋଭାଲଙ୍କୁ ମିଳିଲା ‘ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର–୨୦୨୬’! ଯୁବପିଢିଙ୍କୁ ଅଜିତ ଡୋଭାଲଙ୍କ ବାର୍ତ୍ତା

ଆଜିକାଲିର ଜେନ୍-ଜି ପିଢ଼ି ଓ ସେମାନଙ୍କ ଚିନ୍ତାଧାରାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ଯୁବପିଢ଼ିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି । ଲୋକମାନ୍ୟ ତିଳକ ଜାତୀୟ ପୁରସ୍କାର–୨୦୨୬ରେ ସମ୍ମାନିତ ହେବା ପରେ NSA ଅଜିତ ଡୋଭାଲ ଯୁବପିଢ଼ିଙ୍କୁ ଲୋକମାନ୍ୟ ତିଳକଙ୍କ ଜୀବନ ଓ ଆଦର୍ଶରୁ ପ୍ରେରଣା ନେବାକୁ ଆହ୍ୱାନ କରିଛନ୍ତି । ଏହି ସମାରୋହରେ ଅଜିତ ଡୋଭାଲଙ୍କୁ ପ୍ରଶଂସା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଗୃହମନ୍ତ୍ରୀ ଅମିତ ଶାହ ଅଜିତ ଡୋଭାଲଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର–୨୦୨୬ ରେ ସମ୍ମାନିତ କରିଥିଲେ ।

ପୁରସ୍କାର ଗ୍ରହଣ ପରେ ଅଭିଭାଷଣ ଦେଇ ଡୋଭାଲ କହିଥିଲେ, ଆଜିର ପିଢ଼ି ପାଇଁ ସ୍ୱାଧୀନତାର ପ୍ରକୃତ ଅର୍ଥ ବୁଝିବା ଅତ୍ୟନ୍ତ ଜରୁରୀ । ଦେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଭଳି ଦୃଢ଼ ନେତୃତ୍ୱ ମିଳିଥିବା ସୌଭାଗ୍ୟର ବିଷୟ । ଭାରତ ବର୍ତ୍ତମାନ ଆଭ୍ୟନ୍ତରୀଣ ଓ ବାହ୍ୟ—ଉଭୟ ପ୍ରକାରର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିଲେ ମଧ୍ୟ ଦ୍ରୁତ ଗତିରେ ପ୍ରଗତି କରୁଛି, ଯାହାକୁ ଅନେକ ବିରୋଧୀ ଈର୍ଷା କରୁଛନ୍ତି । ଏଣୁ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସର୍ବପ୍ରଥମେ ଜାତୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେବା ଆବଶ୍ୟକ ବୋଲି ସେ କହିଥିଲେ ।ନିଜ ପିଲାଦିନର ସ୍ମୃତି ମନେପକାଇ ଅଜିତ କହିଥିଲେ ଯେ ପୁଣେରେ ଶିକ୍ଷାଲାଭ ସମୟରେ ସେ ପ୍ରଥମେ ଲୋକମାନ୍ୟ ତିଲକଙ୍କ ଆଦର୍ଶ ଓ ଚିନ୍ତାଧାରା ବିଷୟରେ ଗଭୀର ଭାବେ ଜାଣିଥିଲେ । ବ୍ରିଟିଶ ଶାସନ ସମୟରେ ଯେତେବେଳେ ଅନେକେ ଭୟରେ ନୀରବ ରହୁଥିଲେ, ସେତେବେଳେ ତିଲକ ନିର୍ଭୀକ ଭାବେ ଜାତୀୟ ସ୍ୱାର୍ଥ ପାଇଁ ସ୍ୱର ଉଠାଇଥିଲେ । କାରାବାସ ପରେ ମଧ୍ୟ ସେ ସମାଜସେବା ଓ ରାଷ୍ଟ୍ର ନିର୍ମାଣର ଲକ୍ଷ୍ୟରୁ ବିଚ୍ୟୁତ ହୋଇନଥିଲେ । ଶେଷରେ ଡୋଭାଲ ଯୁବପିଢ଼ିଙ୍କୁ ଲୋକମାନ୍ୟ ତିଲକଙ୍କ ଜୀବନ, ସଂଘର୍ଷ ଓ ଆଦର୍ଶରୁ ପ୍ରେରଣା ନେଇ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଭାଗୀଦାର ହେବାକୁ ଆହ୍ୱାନ କରିଥିଲେ ।

You might also like