ଇରାନ ଜାହାଜକୁ ନେଇ ମୁହଁ ଖୋଲିଲେ ଜୟଶଙ୍କର

ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି ଦେବା ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ଜୟଶଙ୍କର କହିଛନ୍ତି ଯେ, ସମୁଦ୍ର ଆଇନ ଉପରେ ମିଳିତ ଜାତିସଂଘ ସମ୍ମିଳନୀ (ୟୁଏନ୍‌ସିଏଲ୍‌ଓଏସ୍‌) ଏବଂ ଅନ୍ତର୍ଜାତୀୟ ଆଇନକୁ ସେ ସମର୍ଥନ କରନ୍ତି। ଏହାସହିତ ମାନବିକତା ଦୃଷ୍ଟିକୋଣରୁ ଆଇଆର୍‌ଆଇଏସ୍‌ ଲାଭନକୁ କୋଚିରେ ଡକିଂ କରିବାକୁ ଅନୁମତି ଦିଆଯାଇଥିଲା। ‘ରାଏସିନା ଡାୟଲଗ୍‌ ୨୦୨୬’ର ତୃତୀୟ ଦିନ ଜୟଶଙ୍କର ଏହି ପ୍ରତିକ୍ରିୟା ରଖିଛନ୍ତି।ମାର୍ଚ୍ଚ ପ୍ରଥମ ସପ୍ତାହରେ ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ସଂଘର୍ଷର କେନ୍ଦ୍ରରେ ଥିବା ତିନୋଟି ଇରାନୀ ନୌସେନା ଜାହାଜ ପରିପ୍ରେକ୍ଷୀରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ଏହି ମନ୍ତବ୍ୟ ଆସିଛି।ଏହି ଜାହାଜ – ଆଇରିସ ଡେନା, ଆଇରିସ ଲାଭନ ଏବଂ ଆଇରିସ ବୁଶେହର – ଭାରତ ମହାସାଗରରେ କାର୍ଯ୍ୟ କରୁଥିଲେ ଏବଂ ଫେବୃଆରୀରେ ବିଶାଖାପାଟଣାରେ ଭାରତୀୟ ନୌସେନା ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ଫ୍ଲିଟ ସମୀକ୍ଷା ଏବଂ ମିଲାନ ୨୦୨୬ ଅଭ୍ୟାସରେ ଅଂଶଗ୍ରହଣ କରିଥିଲେ।ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଗୁରୁତ୍ୱାରୋପ କରିଥିଲେ ଯେ ଭାରତର ଆଭିମୁଖ୍ୟ ମାନବିକ ଚିନ୍ତାଧାରା ଦ୍ୱାରା ପରିଚାଳିତ। ଜୟଶଙ୍କର କହିଛନ୍ତି, ‘ଶ୍ରୀଲଙ୍କାରେ ମଧ୍ୟ ସମାନ ପରିସ୍ଥିତି ଥିଲା। ସେମାନେ ଯେଉଁ ନିଷ୍ପତ୍ତି ନେଇଥିଲେ, ଏବଂ ଦୁର୍ଭାଗ୍ୟବଶତଃ, ଜଣେ ନାବିକ ବଞ୍ଚି ପାରି ନଥିଲେ… ଆମେ ଆଇନଗତ ସମସ୍ୟା ବ୍ୟତୀତ ମାନବିକ ଦୃଷ୍ଟିକୋଣରୁ ଏହି ପରିସ୍ଥିତିକୁ ସାମ୍ନା କରିଥିଲୁ ଏବଂ ମୁଁ ଭାବୁଛି ଆମେ ଠିକ କାମ କରିଥିଲୁ।’ବିଭିନ୍ନ ଦେଶ ଦ୍ବାରା ପରିଚାଳିତ ବାଣିଜ୍ୟିକ ଜାହାଜରେ ବହୁ ସଂଖ୍ୟକ ଭାରତୀୟ ନାଗରିକ କାମ କରୁଛନ୍ତି। ଏପରି ସ୍ଥିତିରେ ତୈଳ ଟ୍ୟାଙ୍କର କିମ୍ବା ଅନ୍ୟ ମାଲବାହୀ ଜାହାଜ ଉପରେ ଆକ୍ରମଣରେ ଭାରତୀୟଙ୍କ ମୃତ୍ୟୁ ଆଶଙ୍କା ବୃଦ୍ଧି କରୁଛି। ଦୁଇଟି ଜାହାଜ ଉପରେ ଆକ୍ରମଣରେ ଭାରତୀୟଙ୍କ ମୃତ୍ୟୁ ମଧ୍ୟ ହୋଇଛି ବୋଲି ଜୟଶଙ୍କର କହିଥିଲେ।

You might also like