ରାଜନଗରରେ ନିଆରା ଢଙ୍ଗରେ ମା’ ଦୁର୍ଗାଙ୍କ ଭସାଣି, ନଦୀରେ ଖେଳିଲେ ଚାପ
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଦୁର୍ଗାପୂଜା ଉତ୍ସାହ ଉଦ୍ଦିପନାର ସହ ଶେଷ ହୋଇଛି । ପରମ୍ପରା ଅନୁଯାୟୀ ଗୋପାଳ ସଂପ୍ରଦାୟର ଲୋକେ ମା’ଙ୍କୁ କାନ୍ଧରେ ବୋହି ରାଜନଗର ବଜାର ପରିକ୍ରମା କରି ହଂସୁଆ ନଦୀ କୂଳରେ ପହଁଚାଇଥିଲେ । ଘଂଟଘଂଟା ଓ ପାରମ୍ପାରିକ ବାଦ୍ୟ ସହିତ ହରିବୋଲ ହୁଳହୁଳି ଧ୍ୱନୀରେ ମା’ଙ୍କୁ ମେଲାଣି ଦିଆଯାଇଛି । ହଂସୁଆ ନଦୀରେ ଥିବା ସୁସଜ୍ଜିତ ନୌକାରେ ମା’ ବସି ସାତ ଘେରା ଚାପ ଖେଳିଥିଲେ ।ମାଆ ନଦୀରେ ସାତ ଘେରା ଚାପ ଖେଳିବା ପରେ ମେଲାଣି ନେଇଛନ୍ତି । ମା’ ଦୁର୍ଗାଙ୍କ ସହିତ ଗଳିଦାଣ୍ଡର ବନଦୁର୍ଗା, ସାନବଡଗୋପାଳପୁରର ମା’ଶାରଳା, ମାଛ ମାର୍କେଟର ମା’ଗଙ୍ଗାମାତା ଓ ପୁରୁଣା ବଜାରର ହରଗୌରୀ, ଘାଟଗଳିର ସାଇବାବାଙ୍କ ମୃଣ୍ମୟ ମୂର୍ତିକୁ ସୁସଜ୍ଜିତ ନୌକାରେ ଚାପଖେଳ ମାଧ୍ୟମରେ ମେଲାଣି ଦିଆଯାଇଛି । ସାରା ଓଡିଶାରେ ବିରଳ ଏହି ଜଳପଥରେ ଭଷାଣି ଉତ୍ସବ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ହୋଇଥିଲା ।ନଦୀ ମଧ୍ୟରେ ଭଜନ କୀର୍ତ୍ତନ ପାରମ୍ପାରିକ ବାଦ୍ୟ ସହିତ ମା’ ଓ ଦେବାଦେବୀଙ୍କୁ ମେଲାଣି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଦୀର୍ଘ ୧ କିମି ବ୍ୟାପି ନଈ ମଧ୍ୟରେ ୭ଘେରା ଚାପ ଖେଳିବା ପରେ ମା’ଙ୍କୁ ମେଲାଣି ଯିବାର ନିଆରା ପରମ୍ପରା ଏଠାରେ ଦେଖିବାକୁ ମିଳେ । ଦୀର୍ଘ ୨୦୦ ବର୍ଷରୁ ଉର୍ଦ୍ଧ ହେବ ରାଜ ରାଜୁଡା ଅମଳ ରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଆଜିବି ରାଜନଗର ରେ ଉଜିବିତ ହୋଇ ରହିଛି ।