କଟକ ଓ ଭୁବନେଶ୍ୱରରେ ଆଜି ମା’ଙ୍କ ଭସାଣି। ହାଇ ଆର୍ଲଟରେ ଓଡ଼ିଶା ପୋଲିସ
ବିଜୟା ଦଶମୀ ସହ ସରିଲା ଜଗତଜନନୀ ମା’ଦୁର୍ଗାଙ୍କ ପୂଜା। ଗୁରୁବାର ମେଲାଣି ନେବେ ମା’। ଏପଟେ ହାଇ ଆର୍ଲଟରେ ଓଡ଼ିଶା ପୋଲିସ । ବିଶେଷକରି କଟକ ଭସାଣ ଶୋଭାଯାତ୍ରାରେ ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ ପ୍ରସ୍ତୁତ ରହିବାକୁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ମହାନଗର ପୂଜା କମିଟି ଅଧୀନରେ ପାଖାପାଖି ୧୩୦ରୁ ଅଧିକ ମେଢ଼ ପାରମ୍ପରିକ ବ୍ୟବସ୍ଥାରେ ଭସାଣି ଶୋଭାଯାତ୍ରାରେ ସାମିଲ୍ ହୋଇ କାଠଯୋଡ଼ିର ଦେବୀଗଡ଼ା ଅଭିମୁଖେ ଯିବେ । ମା’ଙ୍କ ମୃଣୟ ମୂର୍ତ୍ତି ବିସର୍ଜନ ଲାଗି ଦେବୀଗଡ଼ାରେ ନଦୀରେ ୩ଟି ଅସ୍ଥାୟୀ ଜଳାଶୟର ବନ୍ଦୋବସ୍ତ କରାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ଓ ଧନଜୀବନର ସୁରକ୍ଷା ଦୃଷ୍ଟିରୁ ଭସାଣି ଶୋଭାଯାତ୍ରା ପାଇଁ କମିସନରେଟ ପୁଲିସ ପକ୍ଷରୁ ୬୨ ପ୍ଲାଟୁନ୍ ଅଧିକ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପଟେ ଭସାଣି ପାଇଁ ରାଜଧାନୀର ୬ଟି ସ୍ଥାନରେ ଅସ୍ଥାୟୀ ବିସର୍ଜନ ସ୍ଥଳୀ କରାଯାଇଛି। ଭସାଣି ଉତ୍ସବ ପାଇଁ ୪୮ ପ୍ଲାଟୁନ ପୁଲିସ ଫୋର୍ସ ଏବଂ ୧୦୦ ଅଫିସର ନିୟୋଜିତ ହେବେ। ଭସାଣି ଉତ୍ସବରେ ଡିଜେ ବାଜିବାକୁ ଅନୁମତି ଦିଆଯାଇନାହିଁ। ଡିଜେ ବାଜିଲେ ତାହା ଜବତ ହେବ ଏବଂ ଧର୍ତ୍ତବ୍ୟ ଅପରାଧ ମାମଲା ମଧ୍ୟ ରୁଜୁ ହେବ ବୋଲି ଡିସିପି ଶ୍ରବଣ ଏମ୍ ବିବେକ୍ କହିଛନ୍ତି।