ରାଗୋତ୍ସବ ୨୦୨୬ ଉଦ୍ଘାଟିତ
ଭୁବନେଶ୍ୱର, ରାଜ୍ୟ କାହାଣୀ:ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ ପକ୍ଷରୁ ଆୟୋଜିତ ତିନିଦିନିଆ ବାର୍ଷିକ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ମହୋତ୍ସବ ‘ରାଗୋତ୍ସବ-୨୦୨୬’ ଶୁକ୍ରବାର ରବୀନ୍ଦ୍ର ମଣ୍ଡପଠାରେ ଉଦ୍ଘାଟିତ ହୋଇଛି। ଉତ୍କୃଷ୍ଟ ସଙ୍ଗୀତ ପରିବେଷଣ ସହ ପ୍ରଥମ ସନ୍ଧ୍ୟା ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।ପ୍ରଥମ ସନ୍ଧ୍ୟାରେ ବିଶିଷ୍ଟ ହିନ୍ଦୁସ୍ତାନୀ କଣ୍ଠଶିଳ୍ପୀ ସନ୍ଦୀପ ମହାନ୍ତି ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିଥିଲେ। ତାଙ୍କୁ ତବଲାରେ କୁଳମଣି ସାହୁ ଏବଂ ହାରମୋନିୟମ୍ରେ ଧନେଶ୍ୱର ଓଝା ସହଯୋଗ କରିଥିଲେ।ଏହି ଅବସରରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ବରିଷ୍ଠ ହିନ୍ଦୁସ୍ତାନୀ ବେହେଲା ବାଦକ ରାମଚନ୍ଦ୍ର ମହାନ୍ତିଙ୍କୁ ‘ତଜିନ୍ଦର ସିଂହ ମେମୋରିଆଲ୍ ଲାଇଫ୍ଟାଇମ୍ ଆଚିଭମେଣ୍ଟ ଆୱାର୍ଡ’ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।ସନ୍ଧ୍ୟାର ଅନ୍ୟତମ ଆକର୍ଷଣ ଥିଲା ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ବିଶିଷ୍ଟ କର୍ଣ୍ଣାଟକୀ ବେହେଲା ବାଦିକା ବିଦୁଷୀ ଏ. କନ୍ୟାକୁମାରୀଙ୍କ ସଙ୍ଗୀତ ପରିବେଷଣ। ତାଙ୍କୁ ବେହେଲାରେ ଏସ୍. ଜନାର୍ଦ୍ଦନ ଏବଂ ମୃଦଙ୍ଗମ୍ରେ ବାଙ୍ଗାଲୋର ଭି. ପ୍ରବୀଣ ସହଯୋଗ କରିଥିଲେ।୧୯୬୩ ମସିହାରେ ପ୍ରତିଷ୍ଠିତ ଏବଂ ୧୯୮୭ ମସିହାରେ ସୋସାଇଟି ଭାବେ ପଞ୍ଜୀକୃତ ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ ଦୀର୍ଘବର୍ଷ ଧରି ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିଆସୁଛି। ପ୍ରତିଷ୍ଠିତ କଳାକାରଙ୍କ ସହ ଯୁବ ଓ ଉଦୀୟମାନ ପ୍ରତିଭାମାନଙ୍କୁ ମଧ୍ୟ ଏହି ଅନୁଷ୍ଠାନ ନିୟମିତ ଭାବେ ମଞ୍ଚ ପ୍ରଦାନ କରିଆସୁଛି।ଏହି ସଙ୍ଗୀତ ମହୋତ୍ସବ ନଭେମ୍ବର ୨୧ ଓ ୨୨ ତାରିଖରେ ମଧ୍ୟ ଜାରି ରହିବ। ଏଥିରେ ହିନ୍ଦୁସ୍ତାନୀ, କର୍ଣ୍ଣାଟକୀ ଓ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ବହୁ ବିଶିଷ୍ଟ କଳାକାର ଯୋଗଦେଇ ସଙ୍ଗୀତ ପରିବେଷଣ କରିବେ।