ଫାର୍ମାସିଷ୍ଟଙ୍କ ସଶକ୍ତୀକରଣ ନିମନ୍ତେ ଉନ୍ନତ ମାନର ଶିକ୍ଷା, ଗବେଷଣା ଓ ନବସୃଜନର ଆବଶ୍ୟକତା ରହିଛି: ସୋଆ ଉପସଭାପତି


ଭୁବନେଶ୍ୱର, ରାଜ୍ୟ କାହାଣୀ- ଫାର୍ମାସିଷ୍ଟମାନେ ସ୍ୱାସ୍ଥ୍ୟସେବାର ପ୍ରମୁଖ ଅଂଗ । ତେଣୁ ସେମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଉନ୍ନତ ମାନର ଶିକ୍ଷା, ଗବେଷଣା ଓ ନବସୃଜନର ସୁଯୋଗ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ମତ ରଖିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ।
ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ -୧ପକ୍ଷରୁ ଶୁକ୍ରବାର ଆୟୋଜିତ ବିଶ୍ୱ ଫାର୍ମାସିଷ୍ଟସ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୋଆ ଉପସଭାପତି କହିଥିଲେ ଯେ ବହୁ ବିଭାଗୀୟ ରୋଗୀ ସେବାରେ ଅଧିକ ଅଂଶ ଗ୍ରହଣ ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଫାର୍ମାସିଷ୍ଟ ମାନଙ୍କର ଅବଦାନର ଯଥୋଚିତ ସ୍ୱୀକୃତିର ଆବଶ୍ୟକତା ରହିଛି ।ଚଳିତ ବର୍ଷ ବିଶ୍ୱ ଫାର୍ମାସିଷ୍ଟ ଦିବସର ବିଷୟବସ୍ତୁ “ସୁସ୍ଥ ଭବିଷ୍ୟତ ପାଇଁ ଫାର୍ମାସିଷ୍ଟମାନଙ୍କୁ ସଶକ୍ତ କରିବା” ପ୍ରସଙ୍ଗରେ ମତ ରଖି ଶ୍ରୀମତି ଦାସ କହିଥିଲେ ଏହା ସମସ୍ତଙ୍କ ପାଇଁ ବିଶେଷ ମହତ୍ୱ ରଖେ । ଗୋଟିଏ ବିଶ୍ୱବିଦ୍ୟାଳୟ ଭାବେ କେବଳ ଯୋଗ୍ୟ ପେସାଦାର ଫାର୍ମାସିଷ୍ଟ ସୃଷ୍ଟି କରିବାରେ ସୀମିତ ନ ରହି ସେମାନଙ୍କୁ ଦକ୍ଷ, ନୈତିକ ଓ ପ୍ରମାଣ ଭିତିକ ଜ୍ଞାନରେ ସମୃଦ୍ଧ ଓ ପରିବର୍ତନଶୀଳ ସ୍ୱାସ୍ଥ୍ୟସେବାର ଆବଶ୍ୟକତା ପୂରଣ ପାଇଁ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀମତି ଦାସ କହିଥିଲେ ।
ଏହି ଅବସରରେ ଓଡ଼ିଶା ରାଜ୍ୟ ଔଷଧ ନିୟନ୍ତ୍ରକ ଶ୍ରୀମତି ମାମିନା ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଫାର୍ମାସିଷ୍ଟ ମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଭବିଷ୍ୟତ ନିମନ୍ତେ ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଯାଉଥିବା ସୂଚନା ଦେଇଥିଲେ ।
କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଆଡିସ୍‌ନାଲ ଡିନ୍ ପ୍ରଫେସର (ଡାକ୍ତର) ଅଜୟ କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଚିକିତ୍ସା କ୍ଷେତ୍ରରେ ଜଣେ ଡାକ୍ତରଙ୍କ ସହିତ ଫାର୍ମାସିଷ୍ଟ ମାନଙ୍କର ଭୂମିକା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।ସେହିପରି ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୧ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରୋଗୀମାନଙ୍କୁ ଉତମ ମାନର ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଫାର୍ମାସିଷ୍ଟ ମାନଙ୍କର ଗୁରୁଦାୟିତ୍ୱ ରହିଛି ବୋଲି କହିଥିଲେ ।
ସେହିପରି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ-୨ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଫାର୍ମାସିଷ୍ଟମାନଙ୍କୁ ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ ବୋଲି ବର୍ଣ୍ଣନା କରିଥିଲେ ।କାର୍ଯ୍ୟକ୍ରମକୁ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଫାର୍ମାସୀ ବିଭାଗର ମୁଖ୍ୟ ଡକ୍ଟର ଯସ୍ମିନ୍ ପଣ୍ଡା ପରିଚାଳନା କରିବା ସହ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ଫାର୍ମାସିଷ୍ଟ ମାନଙ୍କୁ ସମ୍ମାନିତ କରାଯିବା ସହ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ମୁଖ୍ୟ, ଡାକ୍ତର, ଫାର୍ମାସିଷ୍ଟ ଓ ନର୍ସିଂ ଷ୍ଟାଫମାନେ ଉପସ୍ଥିତ ଥିଲେ ।

You might also like