ଓଡ଼ିଶା ରାଜ୍ୟ କୃଷକ ବିକାଶ ସମବାୟ ସମିତି ଲିଃ ପକ୍ଷରୁ ବାଲେଶ୍ୱର ଜିଲ୍ଲାସ୍ତରୀୟ ବିଶ୍ୱ ଖାଦ୍ୟ ଦିବସ ପାଳିତ

ଭୁବନେଶ୍ୱର, ରାଜ୍ୟ କାହାଣୀ – ଓଡ଼ିଶା ରାଜ୍ୟ କୃଷକ ବିକାଶ ସମବାୟ ସମିତି ଲିଃ, ଭୁବନେଶ୍ୱର ଏବଂ ବାଲେଶ୍ୱର ଜିଲ୍ଲା ଆତ୍ମାମିଳିତ ଆନୁକୂଲ୍ୟରେ ଆଜି ବାଲେଶ୍ୱର ବାଲିଆ ସ୍ଥିତ କୃଷକ ପ୍ରଶିକ୍ଷଣ ଓ ଦକ୍ଷତା ବୃଦ୍ଧି କେନ୍ଦ୍ରଠାରେ ବିଶ୍ୱ ଖାଦ୍ୟ ଦିବସ ପାଳନଅବସରରେ “ଆଜିର ନବସୃଜନ ଆସନ୍ତା କାଲିର ପୋଷଣ” ଶୀର୍ଷକ ବାଲେଶ୍ୱର ଜିଲ୍ଲାସ୍ତରୀୟ କୃଷକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ବାଲେଶ୍ୱର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତଥା ପ୍ରକଳ୍ପ ନିଦେ୍ର୍ଦଶକ ଆତ୍ମା ବିଶ୍ୱଜିତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କର୍ମଶାଳାରେ ଓଡ଼ିଶା ରାଜ୍ୟ କୃଷକ ବିକାଶ ସମବାୟ ସମିତି ଲିଃ, ଭୁବନେଶ୍ୱରର ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ, ବାଲେଶ୍ୱର କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ. ସ୍ୱାଗତିକା ସାହୁ, ଉଦ୍ୟାନ କୃଷି ଉପ ନିଦେ୍ର୍ଦଶକ ପ୍ରଦୀପ କୁମାର ବଳ, ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡା. ରବିନାରାୟଣ ପଟ୍ଟନାୟକ, ଆପେଡା କୋଲକାତା (ଓଡ଼ିଶା)ର ଆଞ୍ଚଳିକ ମୁଖ୍ୟ ସୀତାକାନ୍ତ ମଣ୍ଡଳ, ଉପନିଦେ୍ର୍ଦଶକ ଆତ୍ମା ବାଲେଶ୍ୱର ଅଜିତ କୁମାର ମଲ୍ଲିକ ଯଥାକ୍ରମେ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଏବଂ ମୁଖ୍ୟ ବକ୍ତା ଭାବେ ଯୋଗଦାନକରି କୃଷି

ଉତ୍ପାଦନ ଉତ୍ପାଦିକା ବୃଦ୍ଧି, ଶସ୍ୟ ସଂରକ୍ଷଣ, ଭଣ୍ଡାରଣ, ସୁବିକ୍ରିବଟା, ଖାଦ୍ୟର ସୁଷମ ବଣ୍ଟନ ଆଦି ଦିଗରେ ଉପସ୍ଥିତ ଚାଷୀବନ୍ଧୁମାନଙ୍କୁ ଦିଗ୍ଦର୍ଶନ ପ୍ରଦାନ କରିବା ସହିତ ସମିତିର ମୁଖପତ୍ର କୃଷକ ସମାଚାର ବିଶ୍ୱ ଖାଦ୍ୟ ଦିବସ ସଂଖ୍ୟା ଉନ୍ମୋଚନ କରିଥିଲେ । ତତ୍ପରେ ବାଲେଶ୍ୱର ଜିଲ୍ଲାର ୫ ଗୋଟି ବ୍ଳକର ୫ଜଣ ସଫଳ ଚାଷୀଙ୍କୁ ସମିତି ତରଫରୁ ମାନପତ୍ର ଓ ଉପଢୌକନା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।କାର୍ଯ୍ୟକ୍ରମ ପ୍ରାରମ୍ଭରୁ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗାୟକ ଦିବ୍ୟଜ୍ୟୋତି ଜ୍ଞାନପ୍ରିୟ କାନୁନଗୋଙ୍କ ଦ୍ୱାରା ବିଶ୍ୱ ଖାଦ୍ୟ ଦିବସ ଉପରେ ଆଧାରିତ ପାଲା ପରିବେଷଣ କରି ଉପସ୍ଥିତ ଚାଷୀବନ୍ଧୁ ଏବଂ ଅତିଥିମାନଙ୍କୁ ବିମୋହିତ କରିଥିଲେ । ଏହି ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳାରେ ସମିତିର ପରିଚାଳନା ପରିଷଦ ମଣ୍ଡଳୀ ଅନ୍ୟତମ ସଭ୍ୟ ନିରଞ୍ଜନ ବେହେରା, କୃଷକ ସଂଯୋଜକ ହରିହର ପରିଡ଼ାଙ୍କ ସମେତ ଶତାଧିକ ଚାଷୀବନ୍ଧୁ ଯୋଗଦାନ କରିଥିଲେ ।

You might also like