ମୁସ୍କାନ୍-ସାହିଲଙ୍କ ପରେ ରବିତା-ଅମରଦୀପଙ୍କୁ ଫାଶୀ !
ସ୍ୱାମୀଙ୍କୁ ଗଳାଚିପି ହତ୍ୟା କରିଥିବା ପତ୍ନୀ ରବିତା ଏବଂ ତାଙ୍କ ପ୍ରେମୀ ଅମରଦୀପଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ରବିତା ନିଜ ପ୍ରେମୀ ଅମରଦୀପ ସହ ମିଶି ପ୍ରଥମେ ସ୍ୱାମୀ ଅମିତ କଶ୍ୟପଙ୍କୁ ଗଳାଚିପି ହତ୍ୟା କରିଥିଲେ ଏବଂ ପରେ ଏହାକୁ ଏକ ଦୁର୍ଘଟଣା ବୋଲି ପ୍ରମାଣ କରିବାକୁ ତାଙ୍କ ବେଡ୍ରେ ଏକ ବିଷଧର ସାପ ଛାଡ଼ି ଦେଇଥିଲେ । କିନ୍ତୁ, ପୋଷ୍ଟମର୍ଟମ ରିପୋର୍ଟ ସେମାନଙ୍କ ମିଛକୁ ପଦାରେ ପକାଇ ଦେଇଥିଲା । ତେବେ ଦୋଷୀ ରବିତା ଏବଂ ତାଙ୍କ ପ୍ରେମିକ ଅମରଦୀପଙ୍କୁ ଜେଲରୁ ଭିଡିଓ କନଫରେନ୍ସିଂ ଜରିଆରେ ଅଦାଲତରେ ହାଜର କରାଯାଇଥିଲା। ଏହି ସମୟରେ ଉଭୟ କହିଥିଲେ ଯେ, ଅଦାଲତ ଯେଉଁ ସଜା ଦେବେ, ସେମାନେ ତାହାକୁ ମାନିବେ।ମିରଟର ବହସୁମା ଅଞ୍ଚଳର ଅକବରପୁର ସାଦାତ୍ ଗ୍ରାମରେ ୧୨ ଏପ୍ରିଲ ୨୦୨୫ ରାତିରେ ଅମିତ କଶ୍ୟପଙ୍କୁ ହତ୍ୟା କରାଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟରେ ଗଳାଚିପି ଯୋଗୁଁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା । ପରେ ପୁଲିସ ପତ୍ନୀଙ୍କୁ ଅଟକ ରଖି ପଚରାଉଚରା କରିବାରୁ ସମସ୍ତ ସତ ସାମ୍ନାକୁ ଆସିଥିଲା । ପୁଲିସ ପତ୍ନୀ ରବିତା ଏବଂ ତାଙ୍କ ପ୍ରେମୀ ଅମରଦୀପଙ୍କୁ ଗିରଫ କରି ଜେଲ ପଠାଇ ଦେଇଥିଲା । ଅକ୍ଟୋବର ୭ ତାରିଖରେ କୋର୍ଟ ଉଭୟଙ୍କୁ ଦୋଷୀ ସାଧାରଣ କରିଥିବା ବେଳେ ଆଜି ଦଣ୍ଡ ଘୋଷଣା କରାଯାଇଛି ।