ରଜରେ ସାରା ଓଡ଼ିଶାକୁ ଭିଜେଇବ ମୌସୁମୀ, ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର (ରାଜ୍ୟକାହାଣୀ )ଆଗାମୀ ୨-୩ ଦିନରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଥିଲା। ହେଲେ ଏ ଅପେକ୍ଷା ସାମାନ୍ୟ ଲମ୍ବିପାରେ। ପାଣିପାଗ ବିଭାଗର ତାଜା ପୂର୍ବାନୁମାନ କହୁଛି, ମୌସୁମୀ ଓଡ଼ିଶା ଛୁଇଁବାକୁ ଆହୁରି ୪-୫ ଦିନ ସମୟ ଲାଗିପାରେ। ତେବେ ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ଦିନ ତାପମାତ୍ରାରେ ସେଭଳି କୌଣସି ବଡ଼ ପରିବର୍ତ୍ତନ ହେବନି। ଏହାପରେ ତାପମାତ୍ରା ସାମାନ୍ୟ ଖସିବା ସହ ଅସହ୍ୟ ଗରମରୁ କିଛିଟା ଆଶ୍ୱସ୍ତି ମିଳିପାରେ। ତେବେ ଆଜି ସମ୍ଭାବ୍ୟ ଝଡ଼ ବର୍ଷା ନେଇ ସାରା ଓଡ଼ିଶା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଅର୍ଥାତ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା, ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ଆସନ୍ତା ୧୫ ତାରିଖ ଯାଏଁ କାଳବୈଶାଖୀର ପ୍ରଭାବ ଥିବା ପାଣିପାଗ ବିଭାଗ କହିଛି।ପାଣିପାଗ ବିଭାଗ କହିଛି, ମୌସୁମୀ ଆଗକୁ ବଢ଼ିବା ପାଇଁ ପାଗ ଅନୁକୂଳ ଅଛି। ୪-୫ ଦିନ ଭିତରେ ମହାରାଷ୍ଟ୍ର, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶର କିଛି ଅଂଶ ସହ ତାମିଲନାଡ଼ୁର ବାକି ଅଂଶ ଏବଂ ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ଓଡ଼ିଶାର କେତେକ ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବ। ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଉପକୂଳ ଓଡ଼ିଶାରେ ଗରମ ସହ ଗୁଳୁଗୁଳି ପ୍ରକୋପ ରହିପାରେ। ପ୍ରତିଦିନ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ଥିବାବେଳେ ୧୧ରୁ ବର୍ଷା ବଢ଼ିପାରେ। ୧୧ ଓ ୧୨ରେ ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି।

You might also like