କେଦାରନାଥ ଧାମ ଯାତ୍ରା ପଥରେ ଭୂସ୍ଖଳନ: ଫସିଛନ୍ତି ୪୦୦୦ ଯାତ୍ରୀ
କେଦାରନାଥ ଧାମ ଯାତ୍ରା ପଥରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି । ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଯାତ୍ରା ମାର୍ଗର ବିଭିନ୍ନ ସ୍ଥାନରେ ପ୍ରାୟ ୪,୦୦୦ ପର୍ଯ୍ୟଟକ ତଥା ତୀର୍ଥଯାତ୍ରୀ ଫସି ରହିଛନ୍ତି ।ପାହାଡ଼ ପାର୍ଶ୍ୱରୁ କ୍ରମାଗତ ଭାବେ ବଡ଼ ବଡ଼ ପଥର ଏବଂ ମାଟି ଅତଡ଼ା ଧସି ରାସ୍ତା ଉପରେ ପଡ଼ୁଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଫଳରେ ମାର୍ଗରୁ ଭଗ୍ନାବଶେଷ ହଟାଇ ରାସ୍ତା ସଫା କରିବା ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି । ପ୍ରତିକୂଳ ପାଣିପାଗ ଓ ଅବିରତ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ କେଦାରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯିବା ସହ ସମସ୍ତ ହେଲିକପ୍ଟର ସେବାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି ।ଅନ୍ୟପକ୍ଷରେ, ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନେକ ଜିଲ୍ଲା ପାଇଁ ଜରୁରୀକାଳୀନ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଡେରାଡୁନ, ଟିହରୀ, ହରିଦ୍ୱାର ଏବଂ ପୌଡ଼ି ଜିଲ୍ଲା ପାଇଁ ଅତି ପ୍ରବଳ ବର୍ଷାର ‘ରେଡ୍ ଆଲର୍ଟ’ ଜାରି ହୋଇଥିବା ବେଳେ ଉତ୍ତରକାଶୀ, ଚମୋଲି, ନୈନିତାଲ ଏବଂ ରୁଦ୍ରପ୍ରୟାଗ ଜିଲ୍ଲା ପାଇଁ ‘ଅରେଞ୍ଜ ଆଲର୍ଟ’ ଲାଗୁ କରାଯାଇଛି ।