ବିଧବା ଜୁଆଙ୍ଗ ମହିଳାଙ୍କୁ ଦୁଷ୍କର୍ମ, ଆଖି ବୁଜିଲେ ପୀଡ଼ିତା
କେନ୍ଦୁଝର ଜିଲ୍ଲା ତେଲକୋଇରେ ଚାଞ୍ଚଲ୍ୟ। ଜଣେ ବିଧବା ଜୁଆଙ୍ଗ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଅଭିଯୋଗ। ତେଲକୋଇ ଥାନା ପଡ଼ାଙ୍ଗ ପଞ୍ଚାୟତର ଜୈନିକ ମହିଳା ଗତ ୧୦ ତାରିଖରେ ବେଣା ହାଟକୁ ଯାଇ ଘରକୁ ଫେରିନଥିଲେ। ତେବେ ଦିନକ ପରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ । ଏହି ଘଟଣାକୁ ନେଇ ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଛି । ପରିବାର ପକ୍ଷରୁ ଏତଲା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।ଅଭିଯୋଗ ଅନୁଯାୟୀ, ଗତ ୧୦ ତାରିଖରେ ମହିଳା ଜଣକ ଗାଁ ନିକଟସ୍ଥ ସାପ୍ତାହିକ ହାଟକୁ ସଉଦା କିଣିବା ପାଇଁ ଯାଇଥିଲେ । ହେଲେ ଆଉ ଘରକୁ ଫେରିନଥିଲେ । ପରଦିନ ଏକ ଗଛ ମୂଳରୁ ତାଙ୍କୁ ଗୁରୁତର ଅବସ୍ଥାରେ ଠାବ କରାଯାଇଥିଲା । ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।
ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତା ଜଣକ ଶେଷରେ ଆଖି ବୁଜିଛନ୍ତି । ଦୁଷ୍କର୍ମ ଅଭିଯୋଗରେ ଦାଶରଥୀଙ୍କ ବିରୋଧରେ ପରିବାର ତେଲକୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।