ସୋରେନ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଝଟକା, JPSC ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରହିତାଦେଶ

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ସରକାରଙ୍କୁ ଶକ୍ତ ଝଟକା ଲାଗିଛି। ଝାଡ଼ଖଣ୍ଡ ହାଇକୋର୍ଟ JPSC ପରୀକ୍ଷା ରଦ୍ଦ କରିବା ନେଇ ସରକାରଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରିଛନ୍ତି। ଏହାସହ ଏହି ମାମଲାରେ ୧୫ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଗତ ୧୭ ଅଗଷ୍ଟରେ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ରାଜ୍ୟ କ୍ୟାବିନେଟ୍ JSSC-CGL ସମେତ TDPL ଦ୍ୱାରା ୨୦୧୪ରୁ କରାଯାଇଥିବା ନିଯୁକ୍ତି ପରୀକ୍ଷାଗୁଡ଼ିକ ମଧ୍ୟରୁ ୨୨ଟିକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ପରୀକ୍ଷା ପ୍ରକ୍ରିୟାରେ କଥିତ ଅନିୟମିତତାକୁ ନେଇ ଏହି ପଦକ୍ଷେପ ନିଆଯାଇଥିଲା।ଏହି ନିଷ୍ପତ୍ତି ପରେ ପରୀକ୍ଷାରେ ସଫଳ ହୋଇ ନିଯୁକ୍ତି ପାଇଥିବା ଅନେକ ପ୍ରାର୍ଥୀ ଚିନ୍ତାରେ ପଡ଼ିଥିଲେ ଏବଂ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ। ସେମାନଙ୍କ ଚାକିରି ଭବିଷ୍ୟତ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।ଅଭ୍ୟର୍ଥୀମାନଙ୍କ ଯୁକ୍ତି ଅନୁଯାୟୀ, ଯଦି ଯାଞ୍ଚ ସମୟରେ କୌଣସି ଅଭ୍ୟର୍ଥୀଙ୍କ ଭୂମିକା ସନ୍ଦେହଜନକ ବୋଲି ପ୍ରମାଣିତ ହୁଏ, ତେବେ ତାଙ୍କ ବିରୋଧରେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । କିନ୍ତୁ ଯାଞ୍ଚ କିମ୍ବା ଶୁଣାଣି ନକରି ସମସ୍ତ ସଫଳ ଅଭ୍ୟର୍ଥୀଙ୍କ ନିଯୁକ୍ତି ବାତିଲ୍ କରିବା ଠିକ୍ ନୁହେଁ । ସମସ୍ତ ଅଭ୍ୟର୍ଥୀ ନିର୍ଦ୍ଧାରିତ ପ୍ରକ୍ରିୟାରେ ପରୀକ୍ଷା ଦେଇଥିଲେ, ମେରିଟ୍ ତାଲିକାରେ ସ୍ଥାନ ପାଇଥିଲେ ଏବଂ ଏହାପରେ ନିୟମ ଅନୁଯାୟୀ ନିଯୁକ୍ତି ପାଇଥିଲେ । ତେଣୁ କିଛି ଅନିୟମିତତା ପାଇଁ ସମସ୍ତଙ୍କୁ ଦାୟୀ କରିବା ଉଚିତ୍ ନୁହେଁ ବୋଲି ଯାଚିକାକାରୀମାନେ ଦାବି କରିଛନ୍ତି ।

You might also like