FSSAIର ବଡ ନିଷ୍ପତ୍ତି; ଖାଦ୍ୟରେ ମିଶିବନି ଅଶ୍ବଗନ୍ଧା ପତ୍ର, କେବଳ ଚେର ବ୍ୟବହାରକୁ ଅନୁମତି
ଦେଶର ଖାଦ୍ୟ ନିୟାମକ ସଂସ୍ଥା, ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। FSSAI କହିଛି ଯେ ଅଶ୍ୱଗନ୍ଧା ପତ୍ର ଆଉ କୌଣସି ଖାଦ୍ୟ ଉତ୍ପାଦ, ପରିପୂରକ କିମ୍ବା ନ୍ୟୁଟ୍ରାସ୍ୟୁଟିକାଲ୍ ରେ ବ୍ୟବହାର କରାଯିବ ନାହିଁ। FSSAIର ଅନୁଧ୍ୟାନରୁ କିଛି ଉତ୍ପାଦକ ସଂସ୍ଥା ନିଜ ପ୍ରଡକ୍ଟରେ ଅଶ୍ୱଗନ୍ଧା ପତ୍ର ବ୍ୟବହାର କରୁଥିବା ଜାଣିବାକୁ ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି। FSSAI କହିଛି, ଅଶ୍ୱଗନ୍ଧା ପତ୍ର କିମ୍ବା ରସ ନିଗାଡିବା କୌଣସି ରୂପରେ ବ୍ୟବହାର ନିୟମ ଅନୁସାରେ ଅନୁମତି ନାହିଁ।
ଜାରି କରାଯାଇଥିବା ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଉଛି। କୌଣସି ଉତ୍ପାଦକ ସଂସ୍ଥା ନିୟମ ଉଲ୍ଲଂଘନ କଲେ FSSAIର ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି।ଏହା ବ୍ୟତୀତ, ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଖାଦ୍ୟ ସୁରକ୍ଷା ଅଧିକାରୀମାନଙ୍କୁ ଏହି ନିୟମକୁ କଡ଼ାକଡ଼ି ଭାବରେ ଲାଗୁ କରିବା ଏବଂ ଯେକୌଣସି ଅନିୟମିତତା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। FSSAI ପୁନରାବୃତ୍ତି କରିଛି ଯେ ଗ୍ରାହକ ସୁରକ୍ଷା ସର୍ବୋପରି ଏବଂ ଏହି କଠୋରତା ବଜାରରେ ଉପଲବ୍ଧ ଅଶ୍ୱଗନ୍ଧା ଉତ୍ପାଦଗୁଡ଼ିକର ଗୁଣବତ୍ତା ଏବଂ ନିର୍ଭରଯୋଗ୍ୟତା ସୁନିଶ୍ଚିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।