ବ୍ରହ୍ମପୁରରେ ନକଲି ହଳଦୀ ଓ ମରିଚ ଗୁଣ୍ଡ କାରଖାନା ଠାବ

ଭୁବନେଶ୍ୱର (ରାଜ୍ୟ କାହାଣୀ )ନକଲି ଟମାଟୋ ସସ୍‌, ବେଆଇନ ତେଲ ପରେ ଏବେ ନକଲି ଖାଦ୍ୟ ମସଲା ତିଆରି ଫ୍ୟାକ୍ଟ୍ରି ଠାବ ।ବ୍ରହ୍ମପୁରରେ ଦୁଇ ବଡ଼ ନକଲି ମସଲା କରାଖାନା ଉପରେ ପୁଲିସର ଚଢ଼ାଉ । ୩୦ କୁଇଣ୍ଟାଲ ନକଲି ମସଲା ସହ ୪ ମିଲିଙ୍ଗ୍ ମେସିନ୍ ଜବତ । ବଡ଼ବଜାର ଥାନା ପୋଲିସ ରବିବାର ବିଳମ୍ବିତ ରାତିରେ ଲକ୍ଷ୍ମୀ ନୃସିଂହ ନଗର ସପ୍ତମ ଲାଇନ ଓ ପ୍ରହଲ୍ଲାଦ ନଗରରେ ଥିବା ନକଲି ମସଲା କାରଖାନା ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ କାରଖାନା ମଧ୍ୟରେ ଗଚ୍ଛିତ ହୋଇ ରହିଥିଲା ବସ୍ତା ବସ୍ତା ନକଲି ହଳଦୀ ଓ ମରିଚ ଗୁଣ୍ଡ । ପ୍ରାୟ ୩ ହଜାର କେଜିର ନକଲି ଲଙ୍କା ଓ ହଳଦୀ ଗୁଣ୍ଡ ଖୋଲା ପଡିଥିଲା ବହୁ ବସ୍ତା ଓ କେଜି ପ୍ୟାକେଟ୍ ଗୁଡ଼ିକ କାରଖାନା ମଧ୍ୟରେ ଦେଖିବାକୁ ପାଇଥିଲା ପୁଲିସ । ୩ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନ, ଏପରିକି ରାଜ୍ୟ ବାହାରକୁ ବିକ୍ରି ପାଇଁ ପଠାଯାଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସହରର ଅନେକ ଗଳି କନ୍ଦିରେ ଭେଜାଲ୍‌ ବ୍ୟବସାୟୀ ସେମାନଙ୍କ ସାମ୍ରାଜ୍ୟ ବାରମ୍ବାର ବିସ୍ତାର କରି ଚାଲିଛନ୍ତି । କିଏ ନାମୀ କମ୍ପାନି ନାଁରେ ନକଲି ଟମାଟୋ, ଚିଲି, ସୋୟା ସସ୍‌ ନିର୍ମାଣ କରୁଛି ତ କେହି ଭେଜାଲ୍‌ ତେଲ, ଡିଟରଜେଣ୍ଟ୍‌ ପାଉଡର୍‌, ମସଲାଗୁଣ୍ଡ ଓ ଆଚାର ପ୍ରସ୍ତୁତ କରି ବିକୁଛି । ବିଶେଷକରି ସହରର ବଡ଼ବଜାର ଅଞ୍ଚଳରୁ ମାଳମାଳ ନକଲି ସାମଗ୍ରୀ ତିଆରି କାରଖାନା ଠାବ ହେଉଛି ।

You might also like