ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର ( ରାଜ୍ୟକାହାଣୀ )ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ। ଗତ କାଲି ରାତି ୯ଟା ୧୫ ମିନିଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ବ୍ରେନ୍ ଷ୍ଟ୍ରୋକ୍ ପରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଚିକିତ୍ସା, ଗବେଷଣା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଡାକ୍ତର ମହାପାତ୍ର। ୧୯୫୨ ମସିହା ଡିସେମ୍ବର ୨୯ ତାରିଖରେ ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଅଶୋକ ମହାପାତ୍ର ।ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରୁ ୧୯୭୫ ମସିହାରେ ଏମବିବିଏସ୍ ଶିକ୍ଷା ଶେଷ କରିଥିଲେ। ପରେ ନୂଆଦିଲ୍ଲୀ ଏମ୍ସରୁ ଏମ୍ ଏସ୍ ଏବଂ ନ୍ୟୁରୋସର୍ଜରୀରେ ଏମ୍ ସିଏଚ୍ ଡିଗ୍ରୀ ହାସଲ କରିଥିଲେ। ୧୯୮୩ ମସିହାରେ ଦିଲ୍ଲୀ ଏମ୍ସରେ ଅଧ୍ୟାପକ ଭାବେ ଯୋଗଦେଇଥିଲେ। ପରବର୍ତ୍ତୀ ସମୟରେ ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ, ନ୍ୟୁରୋସାଇନ୍ସେସ୍ ସେଣ୍ଟରର ମୁଖ୍ୟ ଏବଂ ଡିନ୍ ରିସର୍ଚ୍ଚ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ।
୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସର ନିର୍ଦ୍ଦେଶକ ଥିଲେ। ୨୦୧୨ ମସିହାରେ ଭୁବନେଶ୍ୱର ଏମ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।ଚିକିତ୍ସା ଗବେଷଣାରେ ମଧ୍ୟ ତାଙ୍କର ଅବଦାନ ଉଲ୍ଲେଖନୀୟ। ସରକାରୀ ପଦ୍ମ ପୁରସ୍କାର ପ୍ରଶସ୍ତିପତ୍ର ଅନୁଯାୟୀ, ତାଙ୍କ ନାମରେ ୮୭୦ଟି ଗବେଷଣା ପ୍ରକାଶନ, ୧୬ଟି ପୁସ୍ତକ ଏବଂ ୧୪୦ରୁ ଅଧିକ ପୁସ୍ତକ ଅଧ୍ୟାୟ ରହିଛି ।
ଅନେକ ଯୁବ ଚିକିତ୍ସକ ଓ ଗବେଷକଙ୍କୁ ସେ ମାର୍ଗଦର୍ଶନ କରିଥିଲେ। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅସାଧାରଣ ଅବଦାନ ପାଇଁ ୨୦୨୫ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।