ଆଜିଠୁ କଟକ ମହାନଦୀ କୂଳରେ ଐତିହାସିକ ବାଲିଯାତ୍ରା

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଐତିହାସିକ ‘କଟକ ବାଲିଯାତ୍ରା-୨୦୨୬’ର ଉଦ୍‌ଘାଟନ କରିବେ। ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଐତିହ୍ୟ ଓ ସାଂସ୍କୃତିକ ପରମ୍ପରାର ପ୍ରତୀକ ଏହି ବାର୍ଷିକ ଉତ୍ସବକୁ ଉଦ୍‌ଘାଟନ କରିବାରେ ସେ ହେବେ ଭାରତର ପ୍ରଥମ ରାଷ୍ଟ୍ରପତି।ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଆଠଦିନ ଧରି ମହାନଦୀ ପଠା ତଳପଡ଼ିଆ ଓ ଉପର ପଡ଼ିଆରେ ଏହି ମହାମେଳା ଅନୁଷ୍ଠିତ ହେବ । ପ୍ରାୟ ୬୦ ଏକର ଅଞ୍ଚଳରେ ମେଳାରେ ୧୮୦୦ରୁ ଅଧିକ ଷ୍ଟଲ୍ ଖୋଲିବ। ବାଲି ଯାତ୍ରା ଆୟୋଜନ ପାଇଁ ମୋଟ୍ ୧୭ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଥିବାବେଳେ ରାଜ୍ୟ ସରକାର ୧୦ କୋଟି ଟଙ୍କା ଅନୁଦାନ ଦେବେ। ଚଳିତବର୍ଷ ୮ ଦିନରେ ପ୍ରାୟ ୮୦ ଲକ୍ଷ ଲୋକ ବାଲିଯାତ୍ରାକୁ ଆସିବେ ବୋଲି ଆକଳନ କରାଯାଉଛି। କାରବାର ୩୫୦ କୋଟି ହେବ ବୋଲି ଜିଲ୍ଲା ପ୍ରଶାସନ ଆଶା ରଖିଛି।ବାଲିଯାତ୍ରା ସାଂସ୍କୃତିକ ମଞ୍ଚକୁ ଆକର୍ଷଣୀୟ କରିବା ପାଇଁ ବଲିଉଡ୍‌ ଓ ଓଲିଉଡ୍‌ କଣ୍ଠଶିଳ୍ପୀଙ୍କ ଦ୍ବାରା ସଂଗୀତ ପରିବେଷଣ କାର୍ଯ୍ୟକ୍ରମ ରହିଛି। ଏଥର ଉଭୟ ତଳ ଓ ଉପର ପଡ଼ିଆରେ ଯାତ୍ରା ଆୟୋଜନ ହେଉଥିବାରୁ ଷ୍ଟଲ୍‌ ସଂଖ୍ୟା ମଧ୍ୟ ବଢ଼ିଛି । ୨ ହଜାରରୁ ଅଧିକ ଷ୍ଟଲ୍‌ ଖୋଲୁଛି। ଦୋଳି, ହସ୍ତତନ୍ତ, ଓରମାସ୍‌, ଠୁଙ୍କାପୁରୀ, ଦହିବରା ଇତ୍ୟାଦି ଆକର୍ଷଣ ପାଲଟିବ। ଟାଇଟାନିକ୍‌ ଜାହାଜର ପ୍ରତିକୃତି, ଜାପାନ ସିଟି ଓ ଭେନିସ୍‌ ସିଟି ଲୋକମାନଙ୍କୁ ଅଧିକ ଆକୃଷ୍ଟ କରିବ। ବାଲି ଓ କଳିଙ୍ଗ ନୌବାଣିଜ୍ୟ ସଂପର୍କକୁ ନେଇ ପ୍ରସ୍ତୁତ ହୋଇଥିବା କଟକ ଇନ୍‌ କଟକ ମଧ୍ୟ ଲୋକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ ରହିବ ।

You might also like