ଆଜିଠୁ ଆରମ୍ଭ ହେବ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା

ଭୁବନେଶ୍ୱର (ରାଜ୍ୟକାହାଣୀ )ପବିତ୍ର ଅକ୍ଷୟ ତୃତୀୟା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଏହି ଅବସରରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଇଛି। ମଧ୍ୟାହ୍ନ ଧୂପ ବଢିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ପୂଜାପଣ୍ଡା ସେବାୟତମାନେ ରଥଖଳା ଠାରେ ପହଞ୍ଚିବା ପରେ ସେଠାରେ ସୁନା କୁରାଢିରେ ରଥନିର୍ମାଣ କାର୍ଯ୍ୟର ଅନୁକୂଳ କରିଥିଲେ। ସେହିପରି ଆଜିଠୁ ଚନ୍ଦନ ଯାତ୍ରା ଆରମ୍ଭ ହେବ । ଶ୍ରୀବିଗ୍ରହଙ୍କ ଚଳନ୍ତି ପ୍ରତିମା ମଦନ ମୋହନ , ରାମ ,କୃଷ୍ଣ, ଶ୍ରୀଦେବୀ ,ଭୂଦେବୀ ଓ ଶ୍ରୀକ୍ଷେତ୍ରରେ ପଞ୍ଚ ମହାଦେବ ବିମାନ ଓ ପାଲିଙ୍କିରେ ବସି ନୌକା ବିହାର ବା ଜଳକ୍ରୀଡା ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ଯିବେ । ରାମକୃଷ୍ଣ ନନ୍ଦା ଚାପରେ ଓ ମଦନମୋହନ ଭଦ୍ରା ଚାପରେ ବିରାଜମାନ କରି ଜଳ କ୍ରୀଡା କରିବେ। ଅକ୍ଷୟ ତୃତୀୟାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ । ଏହି ଯାତ୍ରା ୪୨ ଦିନ ପାଳିତ ହୋଇଥାଏ । ଏହା ମଧ୍ୟରେ ବାହାର ଚନ୍ଦନ ଯାତ୍ରା ୨୧ ଦିନ ଓ ଭିତରେ ଚନ୍ଦନ ଯାତ୍ରା ୨୧ ଦିନ । ମଣିଷଙ୍କ ପରି ରୌଦ୍ର ତାପରୁ ମୁକ୍ତି ପାଇବା ପାଇଁ ଶରୀରକୁ ଶୀତଳତା ପ୍ରଦାନ ନିମନ୍ତେ ମହାପ୍ରଭୁ ଜଳକ୍ରୀଡା କରିଥାନ୍ତି । ପ୍ରତ୍ୟେକ ଦିନ ଦୁଇ ଥର ଅର୍ଥାତ୍ ଥରେ ଦିନ ଚାପ୍ ଓ ଥରେ ରାତି ଚାପ୍ ହୋଇଥାଏ । ନୌକା ବିହାର କରି ଠାକୁର ନରେନ୍ଦ୍ର ପୁଷ୍କରିଣୀରେ ଥିବା ଚନ୍ଦନ କୁଣ୍ଡରେ ପୁନଃ ସ୍ନାନ କରି ଜଳକ୍ରୀଡା କରିଥାନ୍ତି । ବେଶ୍ ପରେ ମାଣ୍ଡୁଅ,କାକରା , ନାନମାଳ ବା କେଳି ,ରସାବଳି ପଟ ଇତ୍ୟାଦି ଭୋଗ କରାଯିବ ।ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ୫ ପ୍ଲାଟୁନ୍ ପୋଲିସ ଫୋର୍ସ, ଜଣେ ଅତିରିକ୍ତ ଏସପି, ୫ ଡିଏସପି ଓ ୮ ଜଣ ଇନ୍ସପେକ୍ଟର ମୃତୟନ ହୋଇଛନ୍ତି। ସେହିପରି ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନରେନ୍ଦ୍ର ପୁଷ୍କରିଣୀ ରେ ବାଣକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥିବା ବେଳେ କଟକଣା ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିି ପୁରୀ ଏସପି କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

You might also like