ପ୍ରଥମ ମହିଳା ଭାବେ ନୌସେନାର ଯୁଦ୍ଧ ବିମାନ ଉଡ଼ାଇବେ ଆସ୍ଥା
ପ୍ରଥମ ଥର ପାଇଁ ଜଣେ ମହିଳା ଭାରତୀୟ ନୌସେନାରେ ଜଣେ ଫାଇଟର ପାଇଲଟ ହୋଇଛନ୍ତି। ସବ-ଲେଫନାଣ୍ଟ ଆସ୍ଥା ପୁନିଆଙ୍କୁ ନୌସେନାରେ ଜଣେ ଫାଇଟର ପାଇଲଟ କରାଯାଇଛି। ସେ ଏପରି କରିବାରେ ପ୍ରଥମ ମହିଳା। ଦେଶ ସୁରକ୍ଷାରେ ନୌସେନାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ ଆସ୍ଥାଙ୍କ ଦାୟିତ୍ୱ ଆହୁରି ବଢିଯିବ। ଆସ୍ଥାଙ୍କୁ ଫାଇଟର ପାଇଲଟ ନିଯୁକ୍ତ କରାଯିବା ନେଇ ନୌସେନା ସୋସିଆଲ ମିଡିଆ ପୋଷ୍ଟରେ ସୂଚିତ କରିଛି। ପୋଷ୍ଟରେ ନେଭି ଉଲ୍ଲେଖ କରିଛି ଯେ ‘ନାଭାଲ ଏଭିଏସନରେ ଏକ ନୂଆ ଅଧ୍ୟାୟ ସଂଯୁକ୍ତ ହୋଇଛି। ଭାରତୀୟ ନୌସେନା ଇଣ୍ଡିଆନ ନାଭାଲ ଏୟାର ଷ୍ଟେସନରେ ଦ୍ୱିତୀୟ ବେସିକ୍ ହକ୍ କନଭର୍ସନ କୋର୍ସ ସମାପନ ସହିତ ଏକ ଐତିହାସିକ ମାଇଲ ଖୁଣ୍ଟ ସ୍ଥାପନା କରିଛି। ଲେଫ୍ଟନାଣ୍ଟ ଅତୁଲ କୁମାର ଢୁଲ ଓ ସବ ଲେଫ୍ଟନାଣ୍ଟ ଆସ୍ଥା ପୁନିଆଙ୍କୁ ରିୟର ଆଡମିରାଲ ଜନକ ବେଭଲୀ’ୱିଙ୍ଗସ ଅଫ ଗୋଲ୍ଡ’ ପୁରସ୍କାରରେ ସମ୍ବର୍ଦ୍ଧିତ କରିଛନ୍ତି’। ଆସ୍ଥା କେଉଁ ଲଢ଼ୁଆ ବିମାନ ପାଇବେ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ନାହିଁ।