ଆଜି ଅପରାହ୍ନ ୪ଟାରେ ଆଶା ଭୋସଲେଙ୍କ ଅନ୍ତିମ ସଂସ୍କାର

ସଙ୍ଗୀତ ଜଗତର ଆଶା ଭୋସଲେ ୯୨ ବର୍ଷ ବୟସରେ ଦୁନିଆରୁ ବିଦାୟ ନେିଇଛନ୍ତି। ଶନିବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପୁଅ ଆନନ୍ଦ କହିଛନ୍ତି ଯେ ତାଙ୍କର ଅନ୍ତିମ ସଂସ୍କାର ୧୩ ଏପ୍ରିଲ ଅପରାହ୍ନ ୪ଟାରେ ହେବ ଏବଂ ଲୋକମାନେ ସକାଳ ୧୧ଟାରୁ ତାଙ୍କ ମାତା ଆଶା ଭୋଁସଲେଙ୍କ ଘରେ ଶେଷ ଶ୍ରଦ୍ଧାଞ୍ଜଳି ଦେଇପାରିବେ। ଆଶା ଭୋଁସଲେ ୧୯୩୩ ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ପିତାଙ୍କ ମୃତ୍ୟୁ ପରେ ନଅ ବର୍ଷ ବୟସରେ ଗୀତ ଗାଇବା ଆରମ୍ଭ କରିଥିଲେ। ତାଙ୍କ ନାମ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ଦୁଇଥର ରେକର୍ଡ କରାଯାଇଥିଲା। ସେ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ପ୍ରଥମ ଭାରତୀୟ ଗାୟିକା ମଧ୍ୟ ଥିଲେ।ଆଶାଙ୍କ ବ୍ୟକ୍ତିଗତ ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତି ଥିଲା ତାଙ୍କର ପ୍ରଥମ ବିବାହ। ମାତ୍ର ୧୬ ବର୍ଷ ବୟସରେ ପରିବାର ବିରୋଧରେ ଯାଇ ସେ ନିଜଠାରୁ ୧୫ ବର୍ଷ ବଡ଼ ଗଣପତରାଓ ଭୋସଲେଙ୍କୁ ବିବାହ କରିଥିଲେ। କିନ୍ତୁ ଏହି ସୁଖ ବେଶୀ ଦିନ ରହି ନ ଥିଲା। ଶ୍ୱଶୁର ଘରେ ସେ ଘରୋଇ ହିଂସାର ଶିକାର ହୋଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ଗର୍ଭବତୀ ଥିବା ଅବସ୍ଥାରେ ତାଙ୍କୁ ସ୍ବାମୀଙ୍କ ଘର ଛାଡ଼ି ପିଲାମାନଙ୍କ ସହ ବାପଘରକୁ ଫେରିବାକୁ ପଡ଼ିଥିଲା।

ଆଶାଙ୍କ ଜୀବନରେ ଦୁଃଖର ପାହାଡ଼ ସେତେବେଳେ ଭାଙ୍ଗି ପଡ଼ିଥିଲା, ଯେତେବେଳେ ତାଙ୍କ ପିଲାମାନେ ତାଙ୍କୁ ଛାଡ଼ି ଚାଲିଗଲେ। ତାଙ୍କ ବଡ଼ ପୁଅ ହେମନ୍ତ ଭୋସଲେଙ୍କର ୨୦୧୫ରେ କର୍କଟ ରୋଗରେ ମୃତ୍ୟୁ ହୋଇଥିବା ବେଳେ, ଝିଅ ବର୍ଷା ଭୋସଲେ ୨୦୧୨ରେ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ତାଙ୍କୁ ଭିତରୁ ଭାଙ୍ଗି ଦେଇଥିଲେ ମଧ୍ୟ ସେ ନିଜକୁ ସମ୍ଭାଳି କାମ ଜାରି ରଖିଥିଲେ।ପ୍ରଥମ ବିବାହ ବିଫଳ ହେବାର ପ୍ରାୟ ୨୦ ବର୍ଷ ପରେ ସେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଆର.ଡି. ବର୍ମନ (ପଞ୍ଚମ ଦା)ଙ୍କୁ ବିବାହ କରିଥିଲେ। ସଙ୍ଗୀତ ଦୁନିଆରେ ଏହି ଯୋଡ଼ି ଅନେକ ସୁପରହିଟ ଗୀତ ଭେଟି ଦେଇଥିଲେ। କିନ୍ତୁ ଆର.ଡି. ବର୍ମନଙ୍କ ଅକାଳ ବିୟୋଗ ତାଙ୍କୁ ପୁଣି ଥରେ ଏକା କରିଦେଇଥିଲା।

You might also like