ଆରଜି କର ଘଟଣାରେ ସରକାରଙ୍କ ବଡ଼ ଆକ୍ସନ : ୩ ପୁଲିସ ନିଲମ୍ବିତ

ବଙ୍ଗଳାରେ ନୂଆ ସରକାର ଗଠନ ହେବା ପରେ, ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଶୁକ୍ରବାର ହାଇପ୍ରୋଫାଇଲ ଆର.ଜି. କର ମାମଲା ସମ୍ପର୍କରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି।ପଶ୍ଚିମବଙ୍ଗର କଳଙ୍କିତ ଅଧ୍ୟାୟ ଆରଜି କର ମେଡିକାଲ କଲେଜ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ ଆରମ୍ଭ ସହ ୩ ପୁଲିସ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ।ସେ କହିଛନ୍ତି, ଆରଜି କର ଘଟଣା ସମ୍ପର୍କରେ, ଆମେ ବିଶେଷ ଭାବରେ କଲକତା କମିଶନରେଟ ପୁଲିସ ବିନୀତ କୁମାର ଗୋୟଲ ଏବଂ ଅନ୍ୟ ଅଧିକାରୀଙ୍କ ଭଳି ବରିଷ୍ଠ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ କରିଛୁ। ଏହି ଅପରାଧିକ ଘଟଣାରେ ମାମଲାକୁ ଭୁଲ ଭାବରେ ପରିଚାଳନା କରିବାର ଅଭିଯୋଗ ମଧ୍ୟ ରହିଛି। ଏହା ବ୍ୟତୀତ ଦୁଇ ଜଣ ଅଧିକାରୀ ଅଭୟା ପରିବାରକୁ ଟଙ୍କା ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ଅତ୍ୟନ୍ତ ଜରୁରୀ ହୋଇଥିବାରୁ ସେହି ସମୟରେ ଏହି ମାମଲା ସହିତ ଜଡିତ ସମସ୍ତ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ପୁଲିସ ଅଧିକାରୀ ବିନୀତ ଗୋୟଲ, ଇନ୍ଦିରା ମୁଖାର୍ଜୀ ଏବଂ ଅଭିଷେକ ଗୁପ୍ତାଙ୍କୁ ନିଲମ୍ବିତ କରାଯାଇଛି।ନୂଆ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ମହିଳା ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉଲ୍ଲେଖନୀୟ ଯେ, ଆର.ଜି. କର ପୀଡିତାଙ୍କ ମାଆ ମଧ୍ୟ ଏଥର ଭାଜପା ଟିକେଟରେ ବିଧାନସଭା ନିର୍ବାଚନ ଜିତିଥିଲେ।

You might also like