ଜଷ୍ଟିସ୍ ବିଭୂପ୍ରସାଦ ରାଉତରାୟଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ
ଭୁବନେଶ୍ୱର ( ରାଜ୍ୟକାହାଣୀ )ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବରିଷ୍ଠ ବିଚାରପତି ଜଷ୍ଟିସ୍ ବିଭୂପ୍ରସାଦ ରାଉତରାୟଙ୍କୁ ନିଯୁକ୍ତି ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୧୫ ତାରିଖରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କ କାର୍ଯ୍ୟକାଳ ଶେଷ ହେବ। ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ଅବସର ପରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ବିଭୁ ପ୍ରସାଦ ରାଉତରାୟ ନୂଆ ଦାୟିତ୍ୱ ସମ୍ଭାଳିବେ। ସେ ସୋମବାରଠାରୁ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇବେ।କେନ୍ଦ୍ର ଆଇନ ମନ୍ତ୍ରଣାଳୟର ନ୍ୟାୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଭାରତୀୟ ସମ୍ବିଧାନର ଧାରା ୨୨୩ ଅନୁସାରେ ରାଷ୍ଟ୍ରପତି ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ପରବର୍ତ୍ତୀ ସ୍ଥାୟୀ ମୁଖ୍ୟ ବିଚାରପତି ନିଯୁକ୍ତ ହେବା ପର୍ଯ୍ୟନ୍ତ ଜଷ୍ଟିସ୍ ରାଉତରାୟ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିବେ।