ବହୁ ଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ସୁପ୍ରିମକୋର୍ଟରୁ ବିଦ୍ୟାଭାରତୀଙ୍କୁ ମିଳିଲାନି ଆଶ୍ୱସ୍ତି
ଭୁବନେଶ୍ଵର (ରାଜ୍ୟ କାହାଣୀ ) ବହୁ ଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ ବଡ଼ ଅପଡେଟ୍ । ସୁପ୍ରିମକୋର୍ଟରୁ ବିଦ୍ୟାଭାରତୀଙ୍କୁ ମିଳିଲାନି ଆଶ୍ୱସ୍ତି । ବିଦ୍ୟାଭାରତୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ । ଓଡ଼ିଶା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ବିଦ୍ୟାଭାରତୀ ଦାଖଲ କରିଥିବା ଦୁଇଟି ସ୍ପେଶାଲ ଲିଭ୍ ପିଟିସନ୍ ବା SLPକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।ପୂର୍ବରୁ ହାଇକୋର୍ଟ ମଧ୍ୟ ବିଦ୍ୟାଭାରତୀଙ୍କ ଆବେଦନକୁ ଖାରଜ କରି ଅକ୍ଟୋବର ୧ ତାରିଖ ପୂର୍ବରୁ ନିମ୍ନ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।”୨୦୨୧ ମସିହା ଜୁଲାଇ ମାସରେ ପାରଳାଖେମୁଣ୍ଡିର ଆସିଷ୍ଟାଣ୍ଟ କନଜରଭେଟର ଅଫ୍ ଫରେଷ୍ଟ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କର ନିଆଁରେ ପୋଡ଼ି ହୋଇ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଥିଲା। ସୌମ୍ୟରଞ୍ଜନଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ତତ୍କାଳୀନ ଡିଏଫ୍ଓ (DFO) ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ମାମଲା ଚାଲିଛି। ଏମାନେ ଏଥିରେ ସାମିଲ ଥିବା ମୃତ ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।”ପୋଲିସ ଏବଂ ପରେ କ୍ରାଇମବ୍ରାଞ୍ଚ ତଦନ୍ତରେ ଘଟଣାକୁ ଦୁର୍ଘଟଣାଜନିତ ବୋଲି ଦର୍ଶାଯାଇଥିଲା ଏବଂ ବିଦ୍ୟାଭାରତୀଙ୍କ ବିରୋଧରେ IPCର ଧାରା ୨୮୫ ଓ ୩୦୪-A ସମେତ ଅନ୍ୟ ବ୍ୟବସ୍ଥାରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ଏହାପରେ ସୌମ୍ୟରଞ୍ଜନଙ୍କ ବାପା ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରିଥିଲେ । ୨୦୨୩ ଏପ୍ରିଲରେ ପାରଳାଖେମୁଣ୍ଡି SDJM କୋର୍ଟ IPC ଧାରା ୩୦୨ ଓ ୧୨୦-B ଅନୁଯାୟୀ ଅପରାଧର ସଂଜ୍ଞାନ ନେଇ ଅଭିଯୁକ୍ତମାନଙ୍କୁ ସମନ କରିଥିଲେ ।ଏହି ପ୍ରକ୍ରିୟାକୁ ରଦ୍ଦ କରିବା ପାଇଁ ବିଦ୍ୟାଭାରତୀ ହାଇକୋର୍ଟ ଯାଇଥିଲେ। ତେବେ ହାଇକୋର୍ଟ ମାମଲାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ରଦ୍ଦ କରିବାକୁ ମନା କରିଥିଲେ । ଦୁର୍ଘଟଣାଜନିତ ମୃତ୍ୟୁ ଓ ଷଡ଼ଯନ୍ତ୍ର ଅଭିଯୋଗ-ଏହି ଦୁଇଟି ପରସ୍ପର ବିରୋଧୀ ଦାବି ଥିବାରୁ ତଥ୍ୟ ଓ ପ୍ରମାଣର ପରୀକ୍ଷା ବିଚାର ପ୍ରକ୍ରିୟାରେ ହେବା ଉଚିତ ବୋଲି ହାଇକୋର୍ଟ କହିଥିଲେ ।