ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଇଣ୍ଡୋନେସିଆର ଚାର୍ଜ ଡି ଆଫେୟାର୍ସ

ଭୁବନେଶ୍ୱର, ରାଜ୍ୟ କାହାଣୀ : ଆସନ୍ତା କାଲି କାର୍ତ୍ତିକ ପୂର୍ଣ୍ଣିମା । ବୋଇତ ବନ୍ଦାଣ ପାଇଁ ସାରା ଓଡିଶା ମୁଖରିତ । ଅତୀତରେ ଓଡିଆ ସାଧବ ପୁଅ କାର୍ତ୍ତିକ ପୂର୍ଣ୍ଣିମା ଦିନ ବୋଇତ ଯାତ୍ରାରେ ବିଦେଶ ଯାଇ ବଣିଜ କରି ରାଜ୍ୟ ପାଇଁ ସମୃଦ୍ଧି ଆଣୁଥିଲେ । ଇଣ୍ଡୋନେସିଆର ବାଲି ସୁମାତ୍ରା ଥିଲା ଆମର ବାଣିଜ୍ୟିକ ସମ୍ପର୍କର ପ୍ରମୁଖ କେନ୍ଦ୍ର ।
ଇଣ୍ଡୋନେସିଆ ସହ ଓଡିଶାର ସାଂସ୍କୃତିକ ଓ ଐତିହାସିକ ସମ୍ପର୍କକୁ ଆହୁରି ତାଙ୍କର ସାହସିକ କାର୍ଯ୍ୟ ଦ୍ୱାରା ଆହୁରି ସୁଦୃଢ କରିଥିଲେ ମହାନ ଜନନାୟକ ବିଜୁ ପଟ୍ଟନାୟକ । ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମରେ ତାଙ୍କର ଅବଦାନକୁ ଇଣ୍ଡୋନେସିଆ ଶ୍ରଦ୍ଧା ଓ ସମ୍ମାନର ସହ ସ୍ମରଣ କରି ଆସିଛି ।
ବୋଇତ ବନ୍ଦାଣର ପୂର୍ବ ସନ୍ଧ୍ୟାରେ ଆଜି ନବୀନ ନିବାସରେ ଇଣ୍ଡୋନେସିଆର ଚାର୍ଜ ଡି ଆଫେୟାର୍ସ Mr. Yudho Sasongko ଙ୍କ ନେତୃତ୍ୱରେ ଇଣ୍ଡୋନେସିଆର ଏକ କୂଟନୈତିକ ପ୍ରତିନିଧି ଦଳ ନବୀନ ନିବାସରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ ।
ଏହି ଅବସରରେ ଓଡିଶା ଓ ଇଣ୍ଡୋନେସିଆ ମଧ୍ୟରେ ରହି ଆସିଥିବା ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ବିଷୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଆଲୋଚନା ସମୟରେ ଶ୍ରୀ ପଟ୍ଟନାୟକ ଆସନ୍ତାକାଲି ହେଉଥିବା ବୋଇତ ବନ୍ଦାଣ ଉତ୍ସବ ଓ ତାର ଐତିହାସିକ, ସାଂସ୍କୃତିକ ମହତ୍ୱ ସମ୍ପର୍କରେ ପ୍ରତିନିଧି ଦଳକୁ ଅବଗତ କରିଥିଲେ ।
Mr. Yudho ଶାସଙ୍ଗେକୋ କହିଥିଲେ ଯେ ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମରେ ମହାନ ଜନନାୟକ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ଅବଦାନକୁ ଇଣ୍ଡୋନେସିଆବାସୀ ଶ୍ରଦ୍ଧା ଓ ସମ୍ମାନର ସହ ମନେ ରଖିଛନ୍ତି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆଗକୁ ଆହୁରି ନିବିଡ ହେବ ବୋଲି ସେ ଆଶାବାଦୀ ବୋଲି ମତ ପ୍ରକାଶ କରିଥିଲେ ।

You might also like