ଉତ୍ସାହପୂର୍ଣ୍ଣ ଦର୍ଶକଙ୍କ ଉପସ୍ଥିତି ଓ ଶାସ୍ତ୍ରୀୟ ସଙ୍ଗୀତର ମଧୁର ମୂର୍ଚ୍ଛନା ମଧ୍ୟରେ ଉଦ୍ଯାପିତ ହେଲା ‘ରାଗୋତ୍ସବ-୨୦୨୬’
ଭୁବନେଶ୍ୱର, ରାଜ୍ୟ କାହାଣୀ: ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ୍ ପକ୍ଷରୁ ଆୟୋଜିତ ତିନିଦିନିଆ ବାର୍ଷିକ ଶାସ୍ତ୍ରୀୟ ସଙ୍ଗୀତ ମହୋତ୍ସବ ‘ରାଗୋତ୍ସବ-୨୦୨୬’ ରବିବାର ସନ୍ଧ୍ୟାରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଉତ୍ସାହ ଓ ଉଦ୍ଦୀପନାର ସହ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସନ୍ଧ୍ୟାରେ ସଙ୍ଗୀତପ୍ରେମୀଙ୍କ ବିପୁଳ ଉପସ୍ଥିତିରେ ପ୍ରାୟ ପୂର୍ଣ୍ଣ ହୋଇଉଠିଥିଲା ରବୀନ୍ଦ୍ର ମଣ୍ଡପର ପ୍ରେକ୍ଷାଳୟ। ଶାସ୍ତ୍ରୀୟ ସଙ୍ଗୀତର ମନୋମୁଗ୍ଧକର ପରିବେଷଣ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।ଉଦ୍ଯାପନୀ ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ଏକ ଆକର୍ଷଣୀୟ ବାଦ୍ୟ ସମ୍ମିଳନୀ ପରିବେଷିତ ହୋଇଥିଲା। ଏଥିରେ ଶ୍ରୀ ସଚ୍ଚିଦାନନ୍ଦ ଦାସ ମର୍ଦ୍ଦଳ, ଶ୍ରୀ କୁଳମଣି ସାହୁ ତବଲା, ଶ୍ରୀ ଅରୂପ ଦାସ ମର୍ଦ୍ଦଳ, ଶ୍ରୀ ନିର୍ମଲ୍ୟ ଶଙ୍କର ସ୍ୱାଇଁ ତବଲା ଏବଂ ଶ୍ରୀ ମୁରଲୀଧର ସ୍ୱାଇଁ ହାରମୋନିୟମରେ ସହଯୋଗ କରିଥିଲେ। ଏହି ସମ୍ମିଳିତ ବାଦ୍ୟ ପରିବେଷଣରେ ଭାରତୀୟ ତାଳବାଦ୍ୟ ପରମ୍ପରାର ବିବିଧତା ଓ ସମୃଦ୍ଧି ପ୍ରତିଫଳିତ ହୋଇଥିଲା।ଏହାପରେ ପଣ୍ଡିତ ତୁଷାର ଦତ୍ତଙ୍କ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ ପରିବେଷଣ ଉତ୍ସବର ଅନ୍ତିମ ଆକର୍ଷଣ ପାଲଟିଥିଲା। ତାଙ୍କୁ ତବଲାରେ ଶ୍ରୀ ପିନାକୀ ଚକ୍ରବର୍ତ୍ତୀ ଏବଂ ହାରମୋନିୟମରେ ଶ୍ରୀ ସୁବ୍ରତ ଭଟ୍ଟାଚାର୍ଯ୍ୟ ସହଯୋଗ କରିଥିଲେ। ତାଙ୍କର ମନଛୁଆଁ ସଙ୍ଗୀତ ପରିବେଷଣକୁ ଉପସ୍ଥିତ ଶ୍ରୋତାମାନେ ଭରପୂର ପ୍ରଶଂସା କରିଥିଲେ।ଏହି ଅବସରରେ ଅନୁଷ୍ଠାନର ସଭାପତି ଡ. ଅରବିନ୍ଦ ବେହେରା, ଆଇଏଏସ୍ (ଅବସରପ୍ରାପ୍ତ), ପୂର୍ବତନ ସଦସ୍ୟ, ରାଜସ୍ୱ ପର୍ଷଦ, ଓଡ଼ିଶା; ଉପସଭାପତି ଶ୍ରୀ ରାଜିନ୍ଦର ସିଂହ; ସାଧାରଣ ସମ୍ପାଦକ ଶ୍ରୀ କ୍ଷୀରୋଦ ପଟ୍ଟନାୟକ; କୋଷାଧ୍ୟକ୍ଷ ବ୍ରିଗେଡିୟର ଜି. ପି. ପାଣିଗ୍ରାହୀ (ଅବସରପ୍ରାପ୍ତ); ଯୁଗ୍ମ ସମ୍ପାଦିକା ଡ. ସଙ୍ଗୀତା ଗୋସାଇଁ ଏବଂ ଯୁଗ୍ମ ସମ୍ପାଦିକା ଶ୍ରୀମତୀ ମୀରା ପଣ୍ଡା ଉପସ୍ଥିତ ଥିଲେ।ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ପ୍ରଚାର, ପ୍ରସାର ଓ ସଂରକ୍ଷଣ ସହିତ ବିଶିଷ୍ଟ କଳାକାରମାନଙ୍କୁ ସଙ୍ଗୀତପ୍ରେମୀଙ୍କ ନିକଟରେ ପହଞ୍ଚାଇବା ଏବଂ ନୂତନ ପିଢ଼ି ମଧ୍ୟରେ ସଙ୍ଗୀତ ପ୍ରତି ଆଗ୍ରହ ସୃଷ୍ଟି କରିବା ଦିଗରେ ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ୍ର ଏହି ପ୍ରୟାସ ଅବ୍ୟାହତ ରହିଛି।