ରାଗୋତ୍ସବ-୨୦୨୬ର ଦ୍ୱିତୀୟ ସନ୍ଧ୍ୟାରେଶାସ୍ତ୍ରୀୟ ସଙ୍ଗୀତରେ ମନ୍ତ୍ରମୁଗ୍ଧ ହେଲେ ଶତାଧିକ ଶ୍ରୋତା

ଭୁବନେଶ୍ୱର, ରାଜ୍ୟ କାହାଣୀ: ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ମହକରେ ମୁଖରିତ ହୋଇଉଠିଲା ରବୀନ୍ଦ୍ର ମଣ୍ଡପ। ରାଗୋତ୍ସବ-୨୦୨୬ର ବାର୍ଷିକ ସଙ୍ଗୀତ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଶତାଧିକ ସଙ୍ଗୀତପ୍ରେମୀଙ୍କ ସମାଗମ ହୋଇଥିବାବେଳେ ଓଡ଼ିଶୀ ଓ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ମନୋମୁଗ୍ଧକର ପରିବେଷଣ ଦର୍ଶକଙ୍କୁ ବିମୋହିତ କରିଥିଲା।
ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ସୁଶ୍ରୀ ସ୍ୱରୂପା ମିଶ୍ର ଓଡ଼ିଶୀ କଣ୍ଠସଙ୍ଗୀତ ପରିବେଷଣ କରିଥିଲେ। ତାଙ୍କୁ ବେହେଲାରେ ଗୁରୁ ରମେଶ ଚନ୍ଦ୍ର ଦାସ ଏବଂ ମର୍ଦ୍ଦଳରେ ଶ୍ରୀ ସୀତାକାନ୍ତ ଜେନା ସହଯୋଗ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଡ. ଶ୍ରୁତି ଜୌହରୀଙ୍କ ଦ୍ୱାରା ହିନ୍ଦୁସ୍ତାନୀ ସଙ୍ଗୀତର ଏକ ମନୋରମ ପରିବେଷଣ ‘ସାଉଣ୍ଡସ୍କେପ୍’ ଶ୍ରୋତାଙ୍କୁ ଆକର୍ଷିତ କରିଥିଲା। ଏହି ପରିବେଷଣରେ ତବଲାରେ ଶ୍ରୀ ଅଜୟ କୁଲକର୍ଣ୍ଣି ଏବଂ ହାରମୋନିୟମରେ ଶ୍ରୀ ସୁମନ୍ତ ମହାରଣା ସହଯୋଗ କରିଥିଲେ। ଉଭୟ କଳାକାରଙ୍କ ପରିବେଷଣ ଦର୍ଶକଙ୍କ ଠାରୁ ଉଚ୍ଚ ପ୍ରଶଂସା ସାଉଁଟିଥିଲା।
ଏହି କାର୍ଯ୍ୟକ୍ରମରେ ରାଗୋତ୍ସବର ସଭାପତି ଡ. ଅରବିନ୍ଦ ବେହେରା, ଆଇଏଏସ୍ (ଅବସରପ୍ରାପ୍ତ) ତଥା ଓଡ଼ିଶାର ପୂର୍ବତନ ବୋର୍ଡ ଅଫ୍ ରେଭେନ୍ୟୁ ସଦସ୍ୟ, ଉପସଭାପତି ଶ୍ରୀ ରାଜିନ୍ଦର ସିଂହ, ସାଧାରଣ ସମ୍ପାଦକ ଶ୍ରୀ କ୍ଷୀରୋଦ ପଟ୍ଟନାୟକ, କୋଷାଧ୍ୟକ୍ଷ ବ୍ରିଗେଡିୟର ଜି.ପି. ପାଣିଗ୍ରାହୀ (ଅବସରପ୍ରାପ୍ତ), ଯୁଗ୍ମ ସମ୍ପାଦିକା ଡ. ସଙ୍ଗୀତା ଗୋସାଇଁ ଏବଂ ଯୁଗ୍ମ ସମ୍ପାଦିକା ଶ୍ରୀମତୀ ମୀରା ପଣ୍ଡା ଉପସ୍ଥିତ ଥିଲେ।
ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ସମୃଦ୍ଧ ପରମ୍ପରା ଓ ଐତିହ୍ୟର ସଂରକ୍ଷଣ ସହିତ ବିଶିଷ୍ଟ କଳାକାର ଓ ସଙ୍ଗୀତପ୍ରେମୀଙ୍କୁ ଏକ ମଞ୍ଚରେ ଏକତ୍ରିତ କରିବାର ଲକ୍ଷ୍ୟ ନେଇ ରାଗୋତ୍ସବ ନିଜର ସାଂସ୍କୃତିକ ଯାତ୍ରା ଜାରି ରଖିଛି।

You might also like