ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ ନବୀକରଣଯୋଗ୍ୟ ଶକ୍ତି ବ୍ୟବହାରରେ ୬୩% ବୃଦ୍ଧି ସହ କମ୍ କାର୍ବନ ଉତ୍ସର୍ଜନ ଦିଗରେ ଦୃତ ଅଗ୍ରଗତି କରିଛି
ଭୁବନେଶ୍ୱର, ରାଜ୍ୟ କାହାଣୀ: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ୍ (ଭିଏଏମ୍ଏଲ୍) ୨୦୨୫-୨୬ ଆର୍ଥିକ ବର୍ଷରେ ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାରରେ ୬୩ ପ୍ରତିଶତ ବୃଦ୍ଧି ହାସଲ କରିଛି। ଏଥିସହ ଝାରସୁଗୁଡ଼ା, ଲାଞ୍ଜିଗଡ଼ ଓ ବାଲ୍କୋ (କୋରବା) ସମେତ ଏହାର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ଶକ୍ତି ଦକ୍ଷତା ବୃଦ୍ଧି ଏବଂ ପରିବେଶ ଉପରେ ପ୍ରଭାବ ହ୍ରାସ ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ନେଇଛି।
ଏହି ଆର୍ଥିକ ବର୍ଷରେ କମ୍ପାନୀ ୨,୫୬୨.୮୧ ନିୟୁତ ୟୁନିଟ୍ ନବୀକରଣଯୋଗ୍ୟ ଶକ୍ତି ବ୍ୟବହାର କରିଥିବାବେଳେ ଶକ୍ତି ଦକ୍ଷତା ବୃଦ୍ଧିମୂଳକ ପଦକ୍ଷେପ ମାଧ୍ୟମରେ ୬,୩୫,୭୫୭ ମେଗାୱାଟ୍ ଆୱାର ଶକ୍ତି ସଞ୍ଚୟ କରିଛି। ଏହାର ପରିଣାମସ୍ୱରୂପ, ୨୦୨୧ ଆର୍ଥିକ ବର୍ଷର ଆଧାର ସ୍ତର ତୁଳନାରେ କମ୍ପାନୀର ନିର୍ଗମନ ତୀବ୍ରତା ୧୧.୪ ପ୍ରତିଶତ ହ୍ରାସ ପାଇଛି। ଏହାଦ୍ୱାରା ପ୍ରତି ଟନ୍ ଆଲୁମିନିୟମ ଉତ୍ପାଦନ ପାଇଁ ଅଙ୍ଗାରକାମ୍ଳ ସମତୁଲ୍ୟ ନିର୍ଗମନ ୧୬.୫୭ ଟନ୍କୁ ହ୍ରାସ ପାଇଛି। ସ୍ୱଚ୍ଛ ଶକ୍ତି ଆପଣାଇବା ପ୍ରକ୍ରିୟାକୁ ଆହୁରି ଆଗକୁ ନେବା ପାଇଁ କମ୍ପାନୀ ୪୯୩ ମେଗାୱାଟ୍ କ୍ଷମତାବିଶିଷ୍ଟ ନିରବଚ୍ଛିନ୍ନ ନବୀକରଣଯୋଗ୍ୟ ଶକ୍ତି ଯୋଗାଣ ନିମନ୍ତେ ଚୁକ୍ତି ସ୍ୱାକ୍ଷର କରିଛି। ୨୦୩୦ ସୁଦ୍ଧା ସ୍ୱଚ୍ଛ ଶକ୍ତି ବ୍ୟବହାର ସମ୍ପର୍କିତ ଲକ୍ଷ୍ୟ ହାସଲ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଏହି ସଫଳତା ସମ୍ପର୍କରେ ମତ ରଖି ଭିଏଏମ୍ଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ରାଜେଶ କୁମାର କହିଛନ୍ତି, “ଭାରତର ଶିଳ୍ପ ଅଭିବୃଦ୍ଧି ଏବଂ ଶକ୍ତି କ୍ଷେତ୍ରର ରୂପାନ୍ତରଣରେ ଆଲୁମିନିୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ଧାତୁର ଉତ୍ପାଦନ ପ୍ରକ୍ରିୟାକୁ କ୍ରମାଗତ ଭାବେ ଅଧିକ ଉନ୍ନତ କରିବା ସହ ଯୋଗାଣ ବୃଦ୍ଧି କରିବା ଆମର ଦାୟିତ୍ୱ। ଚଳିତ ବର୍ଷର ସଫଳତା ଆମର କାର୍ଯ୍ୟକ୍ଷେତ୍ରରେ ହୋଇଥିବା ବ୍ୟବହାରିକ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି। ଏଥିରେ ନବୀକରଣଯୋଗ୍ୟ ଶକ୍ତିର ଅଧିକ ବ୍ୟବହାର, ଶକ୍ତି ଦକ୍ଷତା ବୃଦ୍ଧି ଏବଂ ଜଳ ଓ ସାମଗ୍ରୀର ଉନ୍ନତ ପୁନରୁଦ୍ଧାର ଅନ୍ତର୍ଭୁକ୍ତ। ଜଳବାୟୁ ଓ ପ୍ରକୃତି ସମ୍ପର୍କିତ ବିସ୍ତୃତ ତଥ୍ୟ ସହ ଏହି ସଫଳତାଗୁଡ଼ିକୁ ପ୍ରକାଶ କରି ଆମେ ଅଂଶୀଦାରମାନଙ୍କୁ ଆମର ପ୍ରଗତି ଏବଂ ଆଗାମୀ ଦିନର ପ୍ରାଥମିକତା ସମ୍ପର୍କରେ ସ୍ପଷ୍ଟ ଧାରଣା ଦେବାକୁ ଚାହୁଁଛୁ।”
ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାର ଓ ନିର୍ଗମନ ହ୍ରାସ କ୍ଷେତ୍ରରେ ଅଗ୍ରଗତି ସହ ବିଶ୍ୱ ବଜାରକୁ ଦାୟିତ୍ୱପୂର୍ଣ୍ଣ ଉପାୟରେ ଉତ୍ପାଦିତ ଆଲୁମିନିୟମ ଯୋଗାଣ କ୍ଷେତ୍ରରେ ମଧ୍ୟ ବେଦାନ୍ତ ଆଲୁମିନିୟମ ନିଜର ସ୍ଥିତିକୁ ସୁଦୃଢ଼ କରିଛି। ୬୦ରୁ ଅଧିକ ଦେଶରେ ଗ୍ରାହକ ଥିବା ଏହି କମ୍ପାନୀ ମୋଟର ଯାନ, ନିର୍ମାଣ, ବିଦ୍ୟୁତ୍ ଉପକରଣ, ପ୍ୟାକେଜିଂ, ନବୀକରଣଯୋଗ୍ୟ ଶକ୍ତି ଏବଂ ବିଦ୍ୟୁତ୍ ଚାଳିତ ଯାନ ଭଳି ବିଭିନ୍ନ କ୍ଷେତ୍ରକୁ ଆଲୁମିନିୟମ ଯୋଗାଇ ଦେଉଛି। ୨୦୨୫-୨୬ ଆର୍ଥିକ ବର୍ଷରେ କମ୍ପାନୀ ୨୪.୫ ଲକ୍ଷ ଟନ୍ ଆଲୁମିନିୟମ ଉତ୍ପାଦନ କରିଛି, ଯାହା ଭାରତର ମୋଟ ଆଲୁମିନିୟମ ଉତ୍ପାଦନର ଅଧାରୁ ଅଧିକ। ଏଥିସହ ଝାରସୁଗୁଡ଼ାସ୍ଥିତ କାରଖାନା ବିଶ୍ୱର ସର୍ବବୃହତ୍ ଏକକ ସ୍ଥାନଭିତ୍ତିକ ଆଲୁମିନିୟମ ତରଳାଇବା କାରଖାନା ଭାବେ ନିଜର ସ୍ଥାନ ବଜାୟ ରଖିଛି।
ଉତ୍ପାଦନ ବୃଦ୍ଧି ସହ ସମ୍ବଳର ସୁବିନିଯୋଗ ଉପରେ ମଧ୍ୟ କମ୍ପାନୀ ଗୁରୁତ୍ୱ ଦେଉଛି। ୨୦୨୫-୨୬ ଆର୍ଥିକ ବର୍ଷରେ କମ୍ପାନୀ ୧୯.୯୧ ନିୟୁତ ଘନମିଟର ଜଳର ପୁନଃଚକ୍ରଣ କରିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ୧୬.୭୯ ନିୟୁତ ଘନମିଟର ଥିଲା। ସେହିପରି ପୂର୍ବରୁ ଗଚ୍ଛିତ ରହିଥିବା ଫ୍ଲାଏ ଆସ୍ ସହ ଚଳିତ ବର୍ଷ ଉତ୍ପାଦିତ ଫ୍ଲାଏ ଆସ୍ର ସୁବିନିଯୋଗ କରି କମ୍ପାନୀ ୧୦୦ ପ୍ରତିଶତରୁ ଅଧିକ ଉପଯୋଗ ହାର ହାସଲ କରିଛି। ଏହି ଶିଳ୍ପ ଉପଜାତ ଦ୍ରବ୍ୟକୁ ସିମେଣ୍ଟ ଉତ୍ପାଦନ ଓ ନିର୍ମାଣ କ୍ଷେତ୍ରରେ ଉପଯୋଗ କରାଯାଉଛି।
ପରିବେଶ ସୁରକ୍ଷା ସହ ମାନବ ସମ୍ବଳ ଓ ସମାଜର ବିକାଶକୁ ମଧ୍ୟ କମ୍ପାନୀ ନିଜର ସ୍ଥାୟୀ ବିକାଶ ରଣନୀତିର ଅଂଶବିଶେଷ କରିଛି। ୨୦୨୫-୨୬ ଆର୍ଥିକ ବର୍ଷରେ ରିପୋର୍ଟିଂ ପରିସରଭୁକ୍ତ ସମସ୍ତ କାର୍ଯ୍ୟସ୍ଥଳରେ ଜୈବବିବିଧତା ଆକଳନ ସମ୍ପୂର୍ଣ୍ଣ କରାଯାଇଛି। ଏହାଦ୍ୱାରା କମ୍ପାନୀ ନିଜର କାର୍ଯ୍ୟକଳାପ ଆଖପାଖର ପରିବେଶ ଓ ପରିସଂସ୍ଥା ଉପରେ କିଭଳି ପ୍ରଭାବ ପକାଉଛି, ତାହା ବୁଝିବା ଏବଂ ପରିଚାଳନା କରିବା ସହଜ ହୋଇଛି। କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି କ୍ଷେତ୍ରରେ ମଧ୍ୟ କମ୍ପାନୀ ଅଗ୍ରଗତି କରିଛି। ଏହି ସମୟରେ କମ୍ପାନୀର ମୋଟ କର୍ମଚାରୀଙ୍କ ମଧ୍ୟରେ ମହିଳାଙ୍କ ଅଂଶ ୧୯ ପ୍ରତିଶତ ରହିଥିବାବେଳେ ପରିଚାଳନାଗତ ପଦବୀରେ ସେମାନଙ୍କ ଅଂଶଗ୍ରହଣ ୨୧ ପ୍ରତିଶତ ରହିଛି।
ଏହାବ୍ୟତୀତ କମ୍ପାନୀ ନିଜର କାର୍ଯ୍ୟକ୍ଷେତ୍ର ଥିବା ଅଞ୍ଚଳଗୁଡ଼ିକରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା ନିର୍ବାହ ଓ ଭିତ୍ତିଭୂମି ବିକାଶ ଭଳି କ୍ଷେତ୍ରରେ ସାମାଜିକ ବିକାଶମୂଳକ କାର୍ଯ୍ୟ ଜାରି ରଖିଛି। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ପାଇଁ ବିଭିନ୍ନ ସୁଯୋଗ ଓ ମୌଳିକ ସେବାର ସୁଲଭତା ବୃଦ୍ଧି ପାଉଛି। ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାର, ସମ୍ବଳର ଦକ୍ଷ ଉପଯୋଗ ଏବଂ କମ୍ ଅଙ୍ଗାରକ ନିର୍ଗମନଯୁକ୍ତ ଉତ୍ପାଦନ କ୍ଷେତ୍ରରେ ଏହି ସବୁ ପଦକ୍ଷେପ କମ୍ପାନୀର ଦାୟିତ୍ୱପୂର୍ଣ୍ଣ ଅଭିବୃଦ୍ଧି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
୬୦ରୁ ଅଧିକ ଦେଶକୁ ଆଲୁମିନିୟମ ଯୋଗାଣ, ଭାରତର ମୋଟ ଉତ୍ପାଦନର ଅଧାରୁ ଅଧିକ ଅବଦାନ ଏବଂ ଦେଶର ଶିଳ୍ପ ଅଭିବୃଦ୍ଧି ଓ ଶକ୍ତି ରୂପାନ୍ତରଣରେ ସହଯୋଗ ଜରିଆରେ ବେଦାନ୍ତ ଆଲୁମିନିୟମ ନିଜର ଦୀର୍ଘମିଆଦୀ ଲକ୍ଷ୍ୟ ଦିଗରେ ଆଗେଇ ଚାଲିଛି। କମ୍ପାନୀର ଏହି ସମସ୍ତ କାର୍ଯ୍ୟଦକ୍ଷତା ଓ ପରିବେଶ ସମ୍ପର୍କିତ ବିବରଣୀ ୨୦୨୫-୨୬ ଆର୍ଥିକ ବର୍ଷର ସ୍ଥାୟୀ ବିକାଶ ରିପୋର୍ଟରେ ବିସ୍ତୃତ ଭାବେ ସ୍ଥାନ ପାଇଛି। ଏହି ରିପୋର୍ଟ କମ୍ପାନୀର ୱେବ୍ସାଇଟ୍ରେ ଉପଲବ୍ଧ ଅଛି।