ଲ୍ୟାଣ୍ଡଫଲ କରୁଛି ବାତ୍ୟା; ଗୋପାଳପୁରରେ ସବୁଠୁ ଅଧିକ ବର୍ଷା
ଶୁକ୍ରବାର ଦିନ ୧୨ଟା ପାଖାପାଖି ଗୋପାଳପୁର ପାଖରେ ମାଡ଼ ହେବ ବାତ୍ୟା । ସେବେ ପବନର ବେଗ ୭୦ରୁ ୮୦ କିମି ଥିବ । ଲ୍ୟାଣ୍ଡଫଲ ପରେ ଶୀଘ୍ର ଦୁର୍ବଳ ହୋଇଯିବ । ପବନର ବେଗ ୫୦ରୁ ୬୦ କିମିକୁ ଖସଯିବ । ପବନ କମ୍ ରହିବ ସତ, କିନ୍ତୁ ପ୍ରବଳ ବର୍ଷିବ । ଭୋର ୪ଟା ୩୦ ସୁଦ୍ଧା ଗୋପାଳପୁରରେ ୧୬୬ ମିମି ବର୍ଷା ହୋଇଥିବା ବେଳେ ଚାନ୍ଦବାଲିରେ ୯୦, ପାରାଦୀପରେ ୮୪ ଓ ପୁରୀରେ ୭୩ ମିମି ବର୍ଷା ହୋଇଛି ।ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡ଼ି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ବାତ୍ୟାର ଲ୍ୟାଣ୍ଡଫଲ ଓ ତୀବ୍ରତାକୁ ନେଇ ଏଭଳି ଆକଳନ ଦେଇଛନ୍ତି ।
ବାତ୍ୟା ପ୍ରଥମେ ଉତ୍ତର ଆନ୍ଧ୍ରପ୍ରଦେଶ ଆଡ଼କୁ ମୁହାଁଉଛି । ଆନ୍ଧ୍ରର ଶ୍ରୀକାକୁଲମ, ବିଶାଖପାଟଣା, ପାର୍ବତୀପୁରମ୍ ଓ ବିଜୟନଗରମ୍ ଭଳି ଜିଲ୍ଲାରେ ୯୦ କିମି ପବନ ବହିପାରେ । କିନ୍ତୁ ଓଡ଼ିଶାରେ ପବନ ଅପେକ୍ଷାକୃତ କମ୍ ରହିବ । ଅଧିକ ବର୍ଷା ହେବ ।ଗୋପାଳପୁର ନିକଟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୭୦ରୁ ୮୦ କିମି ରହିଥିବା ବେଳେ କିଛି ସ୍ଥାନରେ ଝଟକା ପବନର ବେଗ ୯୦ କିମି ରହିଛି । ଗତ ୬ ଘଣ୍ଟାରେ ୨୧ କିମି ବେଗରେ ଗତି କରୁଛି ଅକ୍ୱାନ୍ ।