ଭାରତୀୟ ନାଗରିକଙ୍କ ପାଇଁ ମାଲେସିଆ ଆସନ୍ତା ଜାନୁଆରୀ ୧ରୁ ଭିଜାମୁକ୍ତ ପ୍ରବେଶ ସୁବିଧା ବନ୍ଦ
ଭାରତୀୟ ନାଗରିକଙ୍କ ପାଇଁ ମାଲେସିଆ ଆସନ୍ତା ଜାନୁଆରୀ ୧ରୁ ଭିଜାମୁକ୍ତ ପ୍ରବେଶ ସୁବିଧା ବନ୍ଦ କରିବାକୁ ଯାଉଛି। ମାଲେସିଆର ଇମିଗ୍ରେସନ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି।ଏପର୍ଯ୍ୟନ୍ତ ଭାରତୀୟ ନାଗରିକ ବିନା ଭିସାରେ ମାଲେସିଆରେ ୩୦ ଦିନ ପର୍ଯ୍ୟନ୍ତ ରହି ପାରୁଥିଲେ। ଏହି ନିଷ୍ପତ୍ତି ଯୋଗୁ ମାଲେସିୟା ଯାଉଥିବା ଭାରତୀୟ ପର୍ଯ୍ୟଟକ ଓ ଅନ୍ୟ ଯାତ୍ରୀଙ୍କୁ ସେମାନଙ୍କ ଯାତ୍ରା ଯୋଜନା ନୂଆ ନିୟମ ଅନୁସାରେ ପ୍ରସ୍ତୁତ କରିବାକୁ ପଡିବ।ମାଲେସିୟା ଇମିଗ୍ରେସନ ବିଭାଗ (ଜେଆଇଏମ) ନଭେମ୍ବର ୧୭ରେ ଜାରି ଅଧିସୂଚନାରେ ଏହି ପରିବର୍ତ୍ତନର ସୂଚନା ଦେଇଛି। ଅଧିସୂଚନା ଅନୁସାରେ ୧ ଜାନୁୟାରୀ ୨୦୨୭ରୁ ମାଲେସିୟା ପ୍ରବେଶ କରୁଥିବା ଭାରତୀୟ ନାଗରିକଙ୍କୁ ଯାତ୍ରା ପୂର୍ବରୁ ଭିସା କରିବାକୁ ପଡିବ। ଏଥି ପାଇଁ ୧ ଡିସେମ୍ବର ୨୦୨୬ରୁ ‘ମାଇଁ ଭିସା’ ପୋର୍ଟାଲ ମାଧ୍ୟମରେ ଆବେଦନ ଜମା କରିପାରିବେ। ଭାରତୀୟ ନାଗରିକଙ୍କ ଲାଗି ମାଲେସିୟା ୨୦୨୩ ମସିହାରେ ଭିସା ମୁକ୍ତ ପ୍ରବେଶ ସୁବିଧା ଆରମ୍ଭ କରିଥିଲା। ଏହି ସୁବିଧା ଅନୁସାରେ ଭାରତୀୟଙ୍କୁ ବିନା ଭିସାରେ ମାଲେସିୟାରେ ୩୦ ଦିନ ପର୍ଯ୍ୟନ୍ତ ଅବସ୍ଥାନ ସୁବିଧା ଦିଆଯାଉଥିଲା।ଆବେଦନର ଫଳାଫଳ ଯାହା ହେଉ ନା କାହିଁକି, ନୀତିରେ ପରିବର୍ତ୍ତନ ହେଉ କିମ୍ବା ପରବର୍ତ୍ତୀ ସମୟରେ ଯାତ୍ରା ଯୋଜନାରେ କୌଣସି ପରିବର୍ତ୍ତନ ହେଉ, ଭିଜା ପ୍ରକ୍ରିୟାକରଣ ଶୁଳ୍କ ଫେରସ୍ତ ଯୋଗ୍ୟ ହେବ ନାହିଁ। ସୂଚନାଯୋଗ୍ୟ ଗତ ସେପ୍ଟେମ୍ବରରେ ଭାରତ ସରକାର ମାଲେସିଆରେ ଥିବା ଭାରତୀୟ ନାଗରିକମାନଙ୍କୁ ଚାକିରି ଖୋଜିବା ପାଇଁ ଦେଶର ୩୦ ଦିନିଆ ଭିଜା-ମୁକ୍ତ ପ୍ରବେଶ ସୁବିଧାର ବ୍ୟବହାର ନ କରିବାକୁ ପରାମର୍ଶ ଦେଇଥିଲେ।