ବିଧାନସଭା ଶୀତ ଅଧିବେଶନ; ଦ୍ୱିତୀୟ ଦିନରେ ବି ଅଚଳାବସ୍ଥା

ଭୁବନେଶ୍ୱର, ରାଜ୍ୟ କାହାଣୀ : ବିଧାନସଭାର ଶୀତ ଅଧିବେଶନରେ ଦ୍ୱିତୀୟ ଦିନରେ ବି ଗୃହର ସ୍ଥିତି ସୁଧୁରିଲାନାହିଁ। ପ୍ରଥମ ଦିନ ଭଳି ଦ୍ୱିତୀୟ ଦିନରେ ମଧ୍ୟ ବିରୋଧୀଙ୍କ ପ୍ରତିବାଦ ସହ ବିଜେଡ଼ିର ଗଞ୍ଜାମ ବନ୍ୟା ଉପରେ ସ୍ୱତନ୍ତ୍ର ଆଲୋଚନା ଦାବି ଓ କଂଗ୍ରେସର କୋଟିଆ ପ୍ରସଙ୍ଗରେ ଆଲୋଚନା ଦାବି ହଟ୍ଟଗୋଳ ଜାରି ରଖିବାରୁ ଗୃହ ମାତ୍ର ୭ ମିନିଟ ଚାଲିପାରିଥିବା ନଜରକୁ ଆସିଛି। ଶେଷରେ ଗୃହ କାର୍ଯ୍ୟକୁ ମୁଲତବି ରଖିବାକୁ ପଡ଼ିଛି। ଫଳରେ ଲଗାତାର ଦ୍ୱିତୀୟ ଦିନ ପାଇଁ ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିପାରିନଥିବାବେଳେ ଶୂନ୍ୟକାଳ ଓ ଆଲୋଚନା ଧୋଇଯାଇଛି।

ସୂଚନାଯୋଗ୍ୟ, ଗୁରୁବାର ସକାଳ ୧୦ଟା ୩୦ରେ ବିଧାନସଭାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ବିଭିନ୍ନ ଦାବି ନେଇ ଗୃହ ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏହି ହୋହଲ୍ଲା ମଧ୍ୟରେ ମାତ୍ର ଗୋଟିଏ ପ୍ରଶ୍ନ ଉପରେ ଆଲୋଚନା ହୋଇପାରିଥିବା ବେଳେ ଗୃହର ସ୍ୱାଭାବିକ କାର୍ଯ୍ୟ ଆଗକୁ ବଢ଼ିପାରିନଥିଲା।

ବିଜେଡିର ମୁଖ୍ୟ ଦାବି ରହିଥିଲା ଗଞ୍ଜାମ ଜିଲ୍ଲାର ବନ୍ୟା ପରିସ୍ଥିତି ଓ ଏହାର ମୁକାବିଲାରେ ସରକାରଙ୍କ କଥିତ ବିଫଳତାକୁ ନେଇ ସ୍ୱତନ୍ତ୍ର ଆଲୋଚନା। ଏଥିପାଇଁ ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରଖି ପ୍ରଥମେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଦଳ ଦାବି କରିଥିଲା। ଅନ୍ୟପଟେ କଂଗ୍ରେସ ବିଧାୟକମାନେ କୋଟିଆ ସୀମା ବିବାଦ ପ୍ରସଙ୍ଗ ଉଠାଇ ସରକାରଙ୍କଠାରୁ ସ୍ପଷ୍ଟ ଜବାବ ଓ ଆଲୋଚନା ଦାବି କରିଛନ୍ତି। ଆନ୍ଧ୍ରପ୍ରଦେଶର କଥିତ ଅନୁପ୍ରବେଶ ଏବଂ ଓଡ଼ିଶାର ସୀମା ସୁରକ୍ଷାକୁ ନେଇ କଂଗ୍ରେସ ଉଦବେଗ ପ୍ରକାଶ କରିଥିଲା।

ଗୃହରେ ଉତ୍ତେଜନା ବଢ଼ୁଥିବା ଦେଖି ବାଚସ୍ପତି ସୁରମା ପାଢ଼ୀ ବାରମ୍ବାର ବିରୋଧୀ ସଦସ୍ୟଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଆଲୋଚନାରେ ଭାଗ ନେବାକୁ ଅନୁରୋଧ କରିଥିଲେ। ମାତ୍ର ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ ବିରୋଧୀଙ୍କ ନାରାବାଜି ଥମିନଥିଲା। କିଛି ସଦସ୍ୟ ରିପୋର୍ଟର୍ ଟେବୁଲ ଉପରକୁ ଚଢ଼ି ପ୍ରତିବାଦ କରିଥିବା ବେଳେ ଗୃହ ମଧ୍ୟଭାଗରେ ହଟ୍ଟଗୋଳ ଜାରି ରହିଥିଲା। ଗୃହରେ ଶୃଙ୍ଖଳା ନଫେରିବାରୁ ସକାଳ ୧୦ଟା ୩୭ରେ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ। ଅର୍ଥାତ୍‌ ଦ୍ଵିତୀୟ ଦିନରେ ବିଧାନସଭା ମାତ୍ର ୭ ମିନିଟ୍‌ ଚାଲିପାରିଥିଲା।

ଲଗାତାର ୨ ଦିନ ଧରି ଗୃହ ଅଚଳ ରହିବା ଫଳରେ ପ୍ରଶ୍ନକାଳ, ଶୂନ୍ୟକାଳ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପ୍ରଭାବିତ ହୋଇଛି। ଜନସାଧାରଣଙ୍କ ସମସ୍ୟା, ସରକାରଙ୍କ ଉତ୍ତରଦାୟିତ୍ୱ ଓ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଥିବା ବିଧାନସଭାର ମଞ୍ଚ ଏବେ ରାଜନୈତିକ ଟଣାଓଟରାରେ ଅଚଳ ହୋଇପଡ଼ିଛି। ୩୩ ଦିନର କାର୍ଯ୍ୟଦିବସ ସହ ଆରମ୍ଭ ହୋଇଥିବା ବିଧାନସଭାର ଶୀତ ଅଧିବେଶନ କେତେଦିନ ଚାଲୁଛି ତାହା ଦେଖିବାକୁ ବାକି ରହିଲା। ଅନ୍ୟପଟେ ସୋମବାର ପୂର୍ବରୁ ସ୍ଥିତି ସ୍ୱାଭାବିକ ହେଇପାରିବ ନାହିଁ, ଶାସକ ଦଳ ବିରୋଧୀଙ୍କ ଆଲୋଚନା ଦାବିକୁ ଗୁରୁତ୍ୱ ଦେଉନଥିବାବେଳେ ନିଜ ଅପାରଗତା ଲୁଚାଇବାକୁ ଏମିତି କରୁଥିବା ବିରୋଧୀ ଦଳ ସଦସ୍ୟ କହିଛନ୍ତି।

You might also like