ଭୁବନେଶ୍ୱରରେ ନଭେମ୍ବର ୨୦ରୁ ତିନିଦିନିଆଶାସ୍ତ୍ରୀୟ ସଙ୍ଗୀତ ମହୋତ୍ସବ ‘ରାଗୋତ୍ସବ-୨୦୨୬’

ଭୁବନେଶ୍ୱର, ରାଜ୍ୟ କାହାଣୀ: ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ସମୃଦ୍ଧ ପରମ୍ପରା, ସୌନ୍ଦର୍ଯ୍ୟ ଓ ବିବିଧତାକୁ ନେଇ ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ତିନିଦିନିଆ ଶାସ୍ତ୍ରୀୟ ସଙ୍ଗୀତ ମହୋତ୍ସବ ‘ରାଗୋତ୍ସବ-୨୦୨୬’। ନଭେମ୍ବର ୨୦, ୨୧ ଓ ୨୨ ତାରିଖରେ ସନ୍ଧ୍ୟା ୬ଟା ୩୦ରୁ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପଠାରେ ଏହି ସଙ୍ଗୀତ ମହୋତ୍ସବ ଅନୁଷ୍ଠିତ ହେବ।
ଏହି ମହୋତ୍ସବରେ ହିନ୍ଦୁସ୍ତାନୀ, କର୍ଣ୍ଣାଟକୀ ଓ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ବିଶିଷ୍ଟ କଳାକାରମାନେ ନିଜର ସଙ୍ଗୀତ ପ୍ରତିଭା ପରିବେଷଣ କରିବେ। ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ବିଶିଷ୍ଟ ବାଦିକା ବିଦୁଷୀ ଏ. କନ୍ୟାକୁମାରୀ କର୍ଣ୍ଣାଟକୀ ବେହେଲା ବାଦନ ପରିବେଷଣ କରିବେ। ସେହିପରି ହିନ୍ଦୁସ୍ତାନୀ କଣ୍ଠସଙ୍ଗୀତରେ ଶ୍ରୀ ସନ୍ଦୀପ ମହାନ୍ତି, ଡ. ଶ୍ରୁତି ଜୌହରୀ ଓ ପଣ୍ଡିତ ତୁଷାର ଦତ୍ତ ଏବଂ ଓଡ଼ିଶୀ କଣ୍ଠସଙ୍ଗୀତରେ ଶ୍ରୀମତୀ ସୃଷ୍ଟି ସ୍ୱରୂପା ମିଶ୍ର ସଙ୍ଗୀତ ପରିବେଷଣ କରିବେ। ଏହା ସହିତ ମର୍ଦ୍ଦଳରେ ଶ୍ରୀ ସଚ୍ଚିଦାନନ୍ଦ ଦାସ ଓ ତବଲାରେ ଡ. କୁଳମଣି ସାହୁଙ୍କୁ ନେଇ ଏକ ସ୍ୱତନ୍ତ୍ର ବାଦ୍ୟଯନ୍ତ୍ର ସମ୍ମିଳନୀ ଆୟୋଜିତ ହେବ।


ଏହି ସଙ୍ଗୀତ ଆସରରେ ସହଯୋଗୀ କଳାକାର ଭାବେ ଶ୍ରୀ ଏସ୍. ଜନାର୍ଦ୍ଦନ, ଶ୍ରୀ ବାଙ୍ଗାଲୋର ଭି. ପ୍ରବୀଣ, ଶ୍ରୀ ଧନେଶ୍ୱର ଓଝା, ଶ୍ରୀ ଅଜୟ କୁଲକର୍ଣ୍ଣୀ, ଶ୍ରୀ ସୁମନ୍ତ ମହାରଣା, ଗୁରୁ ରମେଶ ଚନ୍ଦ୍ର ଦାସ, ଶ୍ରୀ ସୀତାକାନ୍ତ ଜେନା, ଶ୍ରୀ ଅରୂପ ଦାସ, ଶ୍ରୀ ନିର୍ମଲ୍ୟ ଶଙ୍କର ସ୍ୱାଇଁ, ଶ୍ରୀ ମୁରଲୀଧର ସ୍ୱାଇଁ, ଶ୍ରୀ ପିନାକୀ ଚକ୍ରବର୍ତ୍ତୀ ଓ ଶ୍ରୀ ସୁବ୍ରତ ଭଟ୍ଟାଚାର୍ଯ୍ୟ ଯୋଗଦେବେ। ଏହି ଅବସରରେ ସଙ୍ଗୀତ କ୍ଷେତ୍ରକୁ ଅତୁଳନୀୟ ଅବଦାନ ପାଇଁ ଶ୍ରୀ ରାମଚନ୍ଦ୍ର ମହାନ୍ତିଙ୍କୁ ‘ତଜିନ୍ଦର ସିଂ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ’ ପ୍ରଦାନ କରାଯାଇ ସମ୍ମାନିତ କରାଯିବ।


ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ପ୍ରଚାରପ୍ରସାର, ନୂତନ ପ୍ରତିଭାଙ୍କୁ ପ୍ରୋତ୍ସାହନ ଏବଂ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଦିଗରେ ଭୁବନେଶ୍ୱର ମ୍ୟୁଜିକ୍ ସର୍କଲର ଏହି ପ୍ରୟାସ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ମହୋତ୍ସବ ସମ୍ପର୍କରେ ବିସ୍ତୃତ ସୂଚନା ଦେବା ନିମନ୍ତେ ନଭେମ୍ବର ୧୭ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି। ଆୟୋଜକଙ୍କ ପକ୍ଷରୁ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏଥିରେ ଯୋଗଦେବାକୁ ଆମନ୍ତ୍ରଣ କରାଯାଇଛି।
ସ୍ଥାନ: ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର
ତାରିଖ: ୨୦, ୨୧ ଓ ୨୨ ନଭେମ୍ବର ୨୦୨୬
ସମୟ: ସନ୍ଧ୍ୟା ୬ଟା ୩୦ରୁ

You might also like