ଆଜି ଶିଶୁ ଦିବସ , ମନେ ପଡ଼ନ୍ତି ନେହେରୁ
ଆଜି ହେଉଛି ନଭେମ୍ବର ୧୪ ତାରିଖ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ତିତ ଜବାହାରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ । ନେହେରୁ ଶିଶୁମାନଙ୍କୁ ଖୁବ ଭଲ ପାଉଥିବାରୁ ତାଙ୍କ ଜନ୍ମଦିନକୁ ଦେଶବ୍ୟାପୀ ଶିଶୁ ଦିବସ ଭାବେ ପାଳନ କରାଯାଇଥାଏ ।ନେହରୁଙ୍କ ଜନ୍ମ ୧୮୮୯ ମସିହାରେ ଆଲ୍ଲାବାଦରେ ହୋଇଥିଲା । ନେହେରୁଙ୍କ ଛୋଟ ପିଲାଙ୍କ ପ୍ରତି ବହୁତ ଭଲପାଇବା, ସ୍ନେହ ଓ ଶ୍ରଦ୍ଧା ଥିଲା, ଯେଉଁଥିପାଇଁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ସେ ଦେଶର ଭବିଷ୍ୟତକୁ ଶିଶୁମାନଙ୍କ ଆଖିରେ ଦେଖୁଥିଲେ। ନେହେରୁଙ୍କୁ ସମସ୍ତେ ଶ୍ରଦ୍ଧାରେ ଚାଚା ନେହେରୁ ଓ ଚାଚାଜୀ ବୋଲି ସମ୍ବୋଧନ କରୁଥିଲେ । ନେହେରୁ ଜଣେ ଏଭଳି ମଣିଷ ଥିଲେ ତାଙ୍କୁ ସମସ୍ତେ ଭଲପାଉଥିଲେ ଆଉ ସେ ପିଲାମାନଙ୍କୁ ବହୁତ ସ୍ନେହ, ଆଦର କରୁଥିଲେ ଏବଂ ସଦଗତିରେ ଯିବା ପାଇଁ ପରାମର୍ଶ ମଧ୍ୟ ଦେଉଥିଲେ ।ନେହରୁ ମହାତ୍ମା ଗାନ୍ଧୀଙ୍କ ଦ୍ବାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ । ସେ ଅନେକ ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇ କାରାବରଣ ମଧ୍ୟ କରିଥିଲେ । ୧୯୪୭ ଅଗଷ୍ଟ ୧୫ ତାରିଖରେ ସେ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଗଣତନ୍ତ୍ର, ସମାଜବାଦ, ଏକତା ଓ ଧର୍ମନିରପେକ୍ଷତା ତାଙ୍କ ରାଜନୀତିର ୪ଟି ସ୍ତମ୍ଭ ଥିଲା ।୧୯୬୪ ମସିହାର ମେ’ ୨୭ ତାରିଖରେ ନେହେରୁଙ୍କ ନିଧନ ପରେ ପିଲାମାନଙ୍କ ପ୍ରତି ଥିବା ତାଙ୍କ ଭଲପାଇବାକୁ ଦେଖି ଦେଶରେ ପ୍ରତ୍ୟେକ ବର୍ଷ ୧୪ ନଭେମ୍ବରରେ ଚାଚା ନେହେରୁଙ୍କ ଜନ୍ମଦିବସରେ ଶିଶୁ ଦିବସର ଆୟୋଜନ କରାଯିବା ନେଇ ସର୍ବସମ୍ମତି ଦ୍ୱାରା ନିଷ୍ପତ୍ତି ହୋଇଥିଲା।