୪କୋଟି ଋଣ ସୁଝିବାକୁ ଘରେ ପଶି ଟଙ୍କା ସୁନା ଲୁଟ୍ ଓ ମହିଳାଙ୍କୁ ହତ୍ୟା
ସେୟାର ମାର୍କେଟରେ ଟଙ୍କା ଲଗାଇ ହୋଇଥିଲା ୪ କୋଟି ଟଙ୍କାର ଋଣ। ଋଣ ବୋଝରେ ଚାପି ହୋଇ ଶେଷରେ ନେଲା ଭୟଙ୍କର ନିଷ୍ପତ୍ତି। ନିଜ ଆପାର୍ଟମେଣ୍ଟରେ ରହୁଥିବା ପଡ଼ୋଶୀ ମହିଳାଙ୍କୁ ହତ୍ୟା କରିବା ପରେ ଲୁଟିନେଲା ୨୧ ଭରି ସୁନା ଅଳଙ୍କାର। ଆଉ ଏହି ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ। ଘଟଣା ଘଟିଛି ହାଇଦ୍ରାବାଦ ମୀରପଟର ଧତୁ ନଗରରେ । ପ୍ରାଥମିକ ତଦନ୍ତ ଓ ସିସିଟିଭି ଫୁଟେଜ ଯାଂଚ ପରେ ଅଭିଯୁକ୍ତ ୪୪ ବର୍ଷୀୟ ରାଜକୁମାରକୁ ଗିରଫ କରିଛି ପୋଲିସ । ତାଠାରୁ ଲୁଟ୍ ହୋଇଥିବା ସୁନା ଗହଣା ଜବତ କରାଯାଇଛି । ଆର୍ଥିକ ସ୍ଥିତିରେ ସୁଧାର ପାଇଁ ସେ ଏହି ଲୁଟ୍ କରିଥିବା ମାନିଥିବା ପୋଲିସ କହିଛି ।ମୃତକ ହେଲେ ୩୪ ବର୍ଷୀୟ ଅନୀତା । ତାଙ୍କ ସ୍ୱାମୀ ଅରୁଣ କୁମାର ଭେନୁଗୋପାଲ ସ୍ଥାନୀୟ ମିଧାନୀରେ ଡେପୁଟି ଜେନେରାଲ ମ୍ୟାନେଜର ଅଛନ୍ତି ।ସୂଚନା ଅନୁସାରେ, ପ୍ରତ୍ୟେକ ଦିନ ସକାଳେ ଅରୁଣ ତାଙ୍କର ୨ପିଲାଙ୍କୁ ସ୍କୁଲର ଛାଡନ୍ତି, ଏବଂ ସ୍କୁଲ ସରିଲେ ଅନିତା ସେମାନଙ୍କୁ ଘରକୁ ଆଣନ୍ତି । ହେଲେ ବୁଧବାରର ସେ ସନ୍ଧ୍ୟା ଥିଲା ବ୍ୟତିକ୍ରମ । ସ୍ୱାମୀ ଅରୁଣ ପ୍ରତିଦିନ ପରି ସକାଳେ ପିଲାଙ୍କୁ ସ୍କୁଲରେ ଛାଡି ଅଫିସ ଚାଲିଯାଇଥାନ୍ତି । ଦିନସାରା ଘର କାମ ସାରି ଅପରାହ୍ନରେ ପିଲାଙ୍କୁ ସ୍କୁଲକୁ ଆଣିବାକୁ ଯାଇନଥିଲେ ପତ୍ନୀ ଅନିତା । ପିଲା ନିଜେ ଘରକୁ ଚାଲିଆସି ଦେଖିଲା ବେଳକୁ ମା ଅନୀତା ରକ୍ତାକ୍ତ ଅବସ୍ଥାରେ ଶୋଇବା ଘରେ ପଡିଥିଲେ । ସଙ୍ଗେସଙ୍ଗେ ବାପାଙ୍କୁ ଫୋନ କରିଥିଲେ, ଅନିତାଙ୍କୁ ମେଡିକାଲରେ ଭ ତ୍ତି ର୍ କରାଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ପଡ଼ୋଶୀଙ୍କୁ ପଚରାଉଚରା କରିଥିଲା। ଶେଷରେ ମୃତ ମହିଳାଙ୍କ ଉପର ଫ୍ଲାଟରେ ରହୁଥିବା ରାଜ କୁମାର ଉପରେ ସନ୍ଦେହ ଘନୀଭୂତ ହୋଇଥିଲା। ୪ କୋଟି ଟଙ୍କାର ଋଣ ଓ ସେୟାର ବଜାରରେ କ୍ଷତି ଯୋଗୁଁ ସେ ଏଭଳି ଅପରାଧ ଘଟାଇଥିବା ପୋଲିସ କହିଛି। ତା ନିକଟରୁ ଲୁଟ୍ ହୋଇଥିବା ସୁନା ଅଳଙ୍କାର ମଧ୍ୟ ଜବତ ହୋଇଛି।ପୋଲିସର କହିବା ଅନୁସାରେ, ଏହି ହତ୍ୟାକାଣ୍ଡରେ ରାଜ କୁମାର ଏକାକୀ ସାମିଲ ଥିଲା। ତାଙ୍କ ବିରୋଧରେ ହତ୍ୟା ଓ ଘରେ ପଶି ଚୋରି ଅଭିଯୋଗରେ ମାମଲା ରୁଜୁ ହୋଇଛି। ତେବେ ସେୟାର ବଜାରରେ କ୍ଷତି ଭରଣା କରିବାକୁ ଜଣେ ପଡ଼ୋଶୀ ମହିଳାଙ୍କୁ ଏଭଳି ନିର୍ମମ ହତ୍ୟା କରିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।