ପକେଟରୁ ଟଙ୍କା ବିଡା ଝାମ୍ପି ନେଲା ମାଙ୍କଡ଼! ଗଛ ଉପରୁ ଉଡାଇଲା ନୋଟ

ହିମାଚଳ ପ୍ରଦେଶର ଶିମଲାସ୍ଥିତ ଡେପୁଟି କମିଶନରଙ୍କ କାର୍ଯ୍ୟାଳୟ ପରିସରରେ ଘଟିଛି ଏକ ଅଜବ ଘଟଣା। ଜଣେ ବ୍ୟକ୍ତି ୮୧ ହଜାର ୮୦୦ ଟଙ୍କା ଜମା କରିବା ପାଇଁ ବ୍ୟାଙ୍କକୁ ଯାଉଥିଲେ। ଟଙ୍କା ପ୍ୟାକେଟ୍‌ଟି ତାଙ୍କ ପକେଟ୍‌ରେ ଥିଲା। ହେଲେ ହଠାତ୍ କେଉଁଠୁ ଗୋଟିଏ ମାଙ୍କଡ଼ ଆସି ତାଙ୍କ ପକେଟ୍‌ରୁ ଟଙ୍କା ପ୍ୟାକେଟ୍‌ଟି ଝାମ୍ପି ନେଇଗଲା। ଆଉ ଆଖି ପିଛୁଳାକେ ଗଛ ଉପରକୁ ଚଢ଼ିଗଲା।ସାଧାରଣତଃ ମାଙ୍କଡ ଅନେକ ସମୟରେ ଖାଦ୍ୟ ସାମଗ୍ରୀ ଝାମ୍ପି ନେଇଥାଏ । ହେଲେ ଜିଲ୍ଲା ମାଜିଷ୍ଟ୍ରେଟ୍ କାର୍ଯ୍ୟାଳୟ ପରିସରରେ 81 ହଜାର ଟଙ୍କା ଝାମ୍ପି ନେବା ପରେ ବ୍ୟକ୍ତି ଜଣଙ୍କୁ କଣ କରିବେ କିଛି ବୁଦ୍ଧି ବାଟ ଦିଶିନଥିଲା । ହେଲେ ପରେ ମାଙ୍କଡ ଆରମ୍ଭ କରିଥିଲା ‘money game’ । ଗଛ ଉପରେ ବସି, ଟଙ୍କା ବିଡାରୁ ନୋଟ କାଢି ଗୋଟି ପରେ ଗୋଟିଏ ଉଡାଇଥିଲା ମାଙ୍କଡ । ନୋଟ୍ ବର୍ଷା ଦେଖି, ଘଟଣାସ୍ଥଳେ ଅନେକ ଲୋକ ଜମା ହୋଇଯାଇଥିଲେ । ଗଛ ତଳେ ହଜାର ହଜାର ଟଙ୍କା କିଛି ସମୟ ମଧ୍ୟରେ ବିଛାଡ଼ି ହୋଇଯାଇଥିଲା ।ତଳେ ଥିବା ଲୋକେ ଏହା ଦେଖି ଦୌଡ଼ାଦୌଡ଼ି ହେଲେ। କେହି ଟଙ୍କା ଗୋଟାଉଥିଲେ ତ ଆଉ କେହି ବ୍ୟକ୍ତିଙ୍କୁ ସାହାଯ୍ୟ କରୁଥିଲେ। ସରକାରୀ କର୍ମଚାରୀ ଓ ଅନ୍ୟ ଲୋକମାନେ ମିଶି ତଳେ ପଡ଼ିଥିବା ଟଙ୍କା ଗୋଟାଇଥିଲେ।ଦୀର୍ଘ ସମୟର ଉଦ୍ୟମ ପରେ ଅଧିକାଂଶ ଟଙ୍କା ଉଦ୍ଧାର ହୋଇଥିଲା। କିନ୍ତୁ ପ୍ରାୟ ୧୫୦୦ ଟଙ୍କାର ହିସାବ ମିଳିନଥିବା କହିଛନ୍ତି ସମ୍ପୃକ୍ତ ବ୍ୟକ୍ତି। ଏମିତିକି ମାଙ୍କଡ଼ଟି କିଛି ୫୦୦ ଟଙ୍କିଆ ନୋଟ୍‌କୁ ମଧ୍ୟ ଚିରି ଦେଇଥିଲା।

ତେବେ ଶିମଲାର ଏହି ଘଟଣା ପ୍ରଥମ ନୁହେଁ। ଚଳିତ ବର୍ଷ ମେ’ ମାସରେ ଉତ୍ତରପ୍ରଦେଶର ବୁଲନ୍ଦସହର କୋର୍ଟ ପରିସରରେ ମଧ୍ୟ ଏଭଳି ଘଟଣା ଘଟିଥିଲା। ସେଠାରେ ଜଣେ ବ୍ୟକ୍ତିଙ୍କ ୨ ଲକ୍ଷ ଟଙ୍କା ଥିବା ବ୍ୟାଗ୍‌କୁ ଗୋଟିଏ ମାଙ୍କଡ଼ ଝାମ୍ପି ନେଇ ଗଛ ଉପରକୁ ଚଢ଼ିଯାଇଥିଲା। ପରେ ବ୍ୟାଗ୍‌ଟିକୁ ଚିରି ଟଙ୍କା ତଳକୁ ଫିଙ୍ଗିଥିଲା। ପୋଲିସ ଓ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ୧ ଲକ୍ଷ ୯୮ ହଜାର ଟଙ୍କା ଉଦ୍ଧାର ହୋଇଥିଲା।

You might also like