ଆଜିଠୁ ବନ୍ଦ ହେଲା କେଦାରନାଥ ଧାମର ଦର୍ଶନ
ଶୀତ ଋତୁ ପାଇଁ ପ୍ରସିଦ୍ଧ କେଦାରନାଥ ଧାମର ଦ୍ବାର ବନ୍ଦ ହୋଇଛି । ଆଜି ସକାଳ ୮ଟା ୩୦ ମିନିଟ୍ରେ ବୈଦିକ ମନ୍ତ୍ରୋଚ୍ଚାରଣ ଓ ପାରମ୍ପରିକ ରୀତିନୀତି ଅନୁ ସାରେ ମନ୍ଦିରର ଦ୍ବାର ବନ୍ଦ କରାଯାଇଛି ।ପ୍ରବଳ ତୁଷାରପାତ ଓ ଅତ୍ୟଧିକ ଥଣ୍ଡାକୁ ଦୃଷ୍ଟିରେ ରଖି ଆସନ୍ତା ୬ ମାସ ପର୍ଯ୍ୟନ୍ତ ଧାମରେ ଦର୍ଶନ ବନ୍ଦ ରହିବ। ତେବେ ଏହି ସମୟରେ ମଧ୍ୟ ଭକ୍ତମାନେ ବାବାଙ୍କ ଦର୍ଶନରୁ ବଞ୍ଚିତ ହେବେ ନାହିଁ। ଶୀତକାଳୀନ ପୂଜା ପାଇଁ ପ୍ରଭୁ କେଦାରନାଥଙ୍କ ଚଳନ୍ତି ବିଗ୍ରହ ଓଁକାରେଶ୍ୱର ମନ୍ଦିରକୁ ସ୍ଥାନାନ୍ତର ହେବେ। ସେଠାରେ ଶ୍ରଦ୍ଧାଳୁମାନେ ବାବାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିପାରିବେ।
ସେହିପରି ଆଜି ସକାଳ ପ୍ରାୟ ୧୦ଟା ୩୦ ମିନିଟ୍ରେ ଗଙ୍ଗୋତ୍ରୀ ଧାମର କପାଟ ମଧ୍ୟ ବନ୍ଦ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଆସନ୍ତା ୧୬ ତାରିଖରେ ବଦ୍ରିନାଥ ଧାମର ଦ୍ୱାର ବନ୍ଦ ହେବାକୁ ଯାଉଛି।ପ୍ରତିବର୍ଷ ଶୀତ ଋତୁରେ କେଦାରନାଥ ଧାମର ଦ୍ବାର ବନ୍ଦ ହେଉଥିବା ବେଳେ ଗ୍ରୀଷ୍ମ ଋତୁରେ ପୁଣି ଖୋଲା ଯାଇଥାଏ । ସାଧାରଣତଃ ଅକ୍ଷୟ ତୃତୀୟା ସମୟରେ ମନ୍ଦିରର ଦ୍ବାର ପୁଣି ଖୋଲିଥାଏ । ତେବେ ୨୦୨୭ରେ କବାଟ ଖୋଲିବାର ତାରିଖ ଓ ଶୁଭ ମୁହୂର୍ତ୍ତ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ।