ତାଳଚୁଆ ପୂର୍ବତନ IIC ସନ୍ଧ୍ୟାରାଣୀ ଜେନାଙ୍କ ଅଡୁଆ ବଢ଼ିଲା, ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର ( ରାଜ୍ୟକାହାଣୀ )ବଢ଼ିଲା କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ମେରାଇନ୍ ଥାନାର ପୂର୍ବତନ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ଅଡୁଆ । ତାଙ୍କ ବିରୋଧରେ ପୋଲିସ ବିଭାଗର ବଡ଼ ଆକ୍ସନ। ଥାନା ଭିତରେ ମାଆ-ପୁଅଙ୍କୁ ମାଡ଼ ଓ ଗାଳିଗୁଲଜ ଅଭିଯୋଗର ହେବ ବିଭାଗୀୟ ତଦନ୍ତ।ତାଙ୍କ ବିରୋଧରେ କର୍ତ୍ତବ୍ୟରେ ଅବହେଳା, ସରକାରୀ ପଦବୀର ଅପବ୍ୟବହାର, ପ୍ରମାଣ ନଷ୍ଟ କରିବା ଓ ପୋଲିସ ଅଧିକାରୀଙ୍କ ଆଚରଣବିଧ ଉଲ୍ଲଂଘନ ଅଭିଯୋଗ ହୋଇଥିଲା ।ସନ୍ଧ୍ୟାରାଣୀ ରାଜନଗର ବ୍ଲକ୍‌ର ତାଳଚୁଆ ସାମୁଦ୍ରିକ ଥାନାରେ ଆଇଆଇସି ଥିବା ବେଳେ ବାଘମାରି ପଞ୍ଚାୟତ ଗିରିଆପାହି ଗାଁର ଜଣେ ମହିଳା ଓ ତାଙ୍କ ପୁଅକୁ ଆକ୍ରମଣ, ଧମକ ଓ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଗତ ମେ’ ୨୫ ତାରିଖରେ ଏକ ପାରିବାରିକ ବିବାଦ ମାମଲାରେ ଥାନା ପରିସରରେ ଏ ଘଟଣା ଘଟିଥିଲା । ଗାଁର ପବନ ମଣ୍ଡଳ ତାଙ୍କ ପତ୍ନୀ ଓ ପୁଅ ବିରୋଧରେ ତାଳଚୁଆ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଡାକରା ପାଇ ଅନ୍ନପୂର୍ଣ୍ଣା ଓ ପୁଅ ଅନନ୍ତ ମେ’ ୨୫ ସନ୍ଧ୍ୟାରେ ଥାନାକୁ ଯାଇ ପବନଙ୍କ ବିରୋଧରେ ପାଲଟା ଅଭିଯୋଗ ପତ୍ର ଆଇଆଇସି ସନ୍ଧ୍ୟାରାଣୀଙ୍କୁ ଦେଇଥିଲେ । ମାତ୍ର ସନ୍ଧ୍ୟାରାଣୀ ଅଭିଯୋଗ ପତ୍ର ରଖିବା ପରିବର୍ତ୍ତେ ତାଙ୍କୁ ଗାଳିଗୁଲଜ କରି ନିର୍ଯାତନା ଦେଇଥିଲେ ।ରିପୋର୍ଟରେ ଉଲ୍ଲେଖ ରହିଛି, ସତକୁ ଲୁଚାଇବା ଉଦ୍ଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଥିବା ଥାନାର ସିସିଟିଭି ଫୁଟେଜକୁ ଜାଣିଶୁଣି ଫର୍ମାଟ୍ ବା ଡିଲିଟ୍ କରାଯାଇଥିଲା। ଟେକ୍ନିସିଆନଙ୍କ ବୟାନ ଅନୁସାରେ, ଫୁଟେଜ୍ ନଷ୍ଟ ହେବାର ଠିକ୍ ପୂର୍ବରୁ ସନ୍ଧ୍ୟାରାଣୀ ଜେନା ସିସିଟିଭିର ଆଡମିନ୍ ପାସୱାର୍ଡ ମାଗି ନେଇଥିଲେ। ଏହାପରେ ସମସ୍ତ ହାର୍ଡଡିସ୍କକୁ ସମ୍ପୂର୍ଣ୍ଣ ଫର୍ମାଟ୍ କରିଦିଆଯାଇଥିଲା। ଫଳରେ ତଦନ୍ତ ପାଇଁ ଜରୁରୀ ଫୁଟେଜ୍ ମିଳିନଥିଲା।ଜଣେ ଦାୟିତ୍ୱସମ୍ପନ୍ନ ପୋଲିସ ଅଧିକାରୀ ହୋଇ ଇଲେକ୍ଟ୍ରୋନିକ୍ ପ୍ରମାଣ ନଷ୍ଟ କରିବା ଏବଂ ସରକାରୀ ଆଚରଣ ବିଧି ଉଲ୍ଲଂଘନ କରିବା ଅଭିଯୋଗକୁ ପୋଲିସ ବିଭାଗ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛି। ଖାଲି CCTV ଫୁଟେଜ୍ ନୁହେଁ, ମେଡିକାଲ୍ ରିପୋର୍ଟ ମଧ୍ୟ ଏହି ମାମଲାରେ ଗୁରୁତ୍ୱ ବହନ କରୁଛି। ତେବେ ସନ୍ଧ୍ୟାରାଣୀ ଥାନା ଶୌଚାଳୟରେ ଥାର୍ଡ ଡିଗ୍ରୀ ଦେଇଥିବା ପଟ୍ଟାମୁଣ୍ଡାଇ ଏସ୍‌ଡିପିଓଙ୍କୁ ଭେଟି ଅଭିଯୋଗ କରିଥିଲେ ଅନ୍ନପୂର୍ଣ୍ଣା । କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ ଓ ଏସ୍‌ଡିପିଓ ସୁକାନ୍ତ ପାତ୍ର ଥାନାରେ ପହଞ୍ଚି ଛାନଭିନ କରିଥିଲେ । ଉଭୟ ଅଧିକାରୀଙ୍କ ତଦନ୍ତ ରିପୋର୍ଟ ଆଧାରରେ ଡିଜିପି ମେ’ ୨୭ ତାରିଖ ଦିନ ସନ୍ଧ୍ୟାରାଣୀଙ୍କୁ ନିଲମ୍ବନ କରିଥିଲେ

You might also like