ଏହି ସପ୍ତାହରେ ବଙ୍ଗୋପସାଗରରେ ପୁଣି ଲଘୁଚାପ ସମ୍ଭାବନା

ଭୁବନେଶ୍ଵର (ରାଜ୍ୟ କାହାଣୀ ) ଏହି ସପ୍ତାହରେ ବଙ୍ଗୋପସାଗରରେ ପୁଣି ଲଘୁଚାପ ସମ୍ଭାବନା । ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ନୂଆ ପାଣିପାଗ ବ୍ୟବସ୍ଥା । ଅବପାତରେ ପରିଣତ ହେଲେ ୧୬ ତାରିଖରୁ ଦକ୍ଷିଣ ଭାରତରେ ବଢ଼ିପାରେ ବର୍ଷା।ବିଶେଷ କରି ଦକ୍ଷିଣ ଓଡ଼ିଶା ସହ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ହୋଇପାରେ। ପ୍ରବଳ ବର୍ଷାର ସମ୍ଭାବନା ନଥିଲେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବିଶେଷ କରି କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ବର୍ଷାର ପ୍ରଭାବ ରହିପାରେ।ଏହା ସହ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ଦକ୍ଷିଣ ଭାରତ, ବିଶେଷକରି ତାମିଲନାଡୁ ଓ ପୁଡୁଚେରୀ ଅଞ୍ଚଳରେ ବର୍ଷାର ଏକ ପ୍ରମୁଖ କାରଣ ହୋଇଥାଏ। ଏହି ସମୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଲେ ବର୍ଷାର ତୀବ୍ରତା ବଢ଼ିପାରେ। ନିକଟରେ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଓଡ଼ିଶାର ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା।ବର୍ତ୍ତମାନ ଝାଡ଼ଖଣ୍ଡ ନିକଟରେ ଏକ ଘୂର୍ଣ୍ଣିବଳୟ ରହିଥିବାରୁ ଏହାର ପ୍ରଭାବରେ ୧୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ହୋଇପାରେ। ବିଶେଷ କରି ଉତ୍ତର ଓଡ଼ିଶାକୁ ଲାଗି ରହିଥିବା ଜିଲ୍ଲାଗୁଡ଼ିକରେ ବର୍ଷାର ସମ୍ଭାବନା ରହିଛି। ଆଜି ବର୍ଷା ନହେଲେ ୧୦ କିମ୍ବା ୧୧ ତାରିଖ ମଧ୍ୟାହ୍ନ ପରେ ବର୍ଷା ହୋଇପାରେ।

You might also like