ରାଜ୍ୟରେ ଦୀପାବଳି ବାଣ ଓ ଅଗ୍ନିକାଣ୍ଡରେ ଶତାଧିକ ଆହତ
ଭୁବନେଶ୍ୱର ( ରାଜ୍ୟକାହାଣୀ )ଦୀପାବଳିରେ ରାଜ୍ୟର ବିଭିନ୍ନ ସ୍ଥାନରେ ବାଣ ଅଘଟଣ । ଶତାଧିକ ଆହତ। ଅସାବଧାନତା ଯୋଗୁଁ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଅନେକ ଅଘଟଣ ଘଟି ଶତାଧିକ ଲୋକ ଆହତ ହୋଇଛନ୍ତି| ରାଉରକେଲା ରଘୁନାଥପାଲି ଥାନା ଅନ୍ତର୍ଗତ କୌଶଲ୍ୟା ନଗରରେ ଗତକାଲି ରାତି ପ୍ରାୟ ୯ଟା ସମୟରେ ଭଉଣୀ ଆଗରେ ନିଆଁ ଲାଗି ଚାଲିଗଲା ଭାଇର ଜୀବନ | ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗୋଡ଼ଭଞ୍ଜା ଗାଁରେ ଅସାବଧାନତା ଯୋଗୁ ହାତରେ ହିଁ ବାଣଟି ଫୁଟିଯିବାରୁ ଜଣେ ଯୁବକଙ୍କ ହାତ ପାପୁଲି ଛିଣ୍ଡି ଅଲଗା ହୋଇଯାଇଛି। ନୟାଗଡ଼ ସହରର ରାଜାବଗିଚା ସାହିରେ ଦୀପରୁ ଡ୍ରେସ୍ରେ ନିଆଁ ଲାଗି ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବତୀ ହେଉଛନ୍ତି ପୂଜାଲକ୍ଷ୍ମୀ ସାହୁ। ସେ ଘର ଛାତ ଉପରେ ଦୀପ ଲଗାଉଥିବା ସମୟରେ ଅସାବଧାନତାବଶତଃ ତାଙ୍କ ପୋଷାକରେ ନିଆଁ ଲାଗିଯାଇଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ନୟାଗଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ଶରୀରରେ ଗୁରୁତର ପୋଡ଼ାଜଳା ହୋଇଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି।
ସେହିପରି ଦୀପ ଓ ମହମବତୀରୁ ନିଆଁ ଲାଗି ଆଉ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ଧାମନଗରର କଣ୍ଟାପାରି ଅଞ୍ଚଳର ୮୫ ବର୍ଷୀୟା ହେମଲତା ମହାନ୍ତିଙ୍କ ଶାଢ଼ିରେ ଘରେ ଦୀପ ଜାଳିବା ସମୟରେ ନିଆଁ ଲାଗିଯାଇଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ୩୧ ଜଣ ଆହତ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ରହିଛନ୍ତି।ସେହିପରି କଟକ ଏସସିବି କାଜୁଆଲିଟିରେ ୨୫ ଜଣ ଆହତ ଭର୍ତ୍ତି ହୋଇଛନ୍ତି। ବାଣ ଫୁଟି କଟକ ସହରର ୭ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ବାଣ ଫୁଟାଇ ୧୫ ଜଣ ଆହତ ହୋଇ ସୋର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସିତ ହୋଇଛନ୍ତି।