ବନ୍ୟା ପରେ ଗଞ୍ଜାମରେ ନବୀନ, ଶେରଗଡ଼ରେ ବିପନ୍ନଙ୍କୁ ଭେଟି ଆରମ୍ଭ କଲେ ଗସ୍ତ
ଭୁବନେଶ୍ଵର ( ରାଜ୍ୟ କାହାଣୀ ) ଗଞ୍ଜାମରେ ନବୀନ । ବନ୍ୟା ପରେ ପ୍ରଭାବିତ ଅଞ୍ଚଳରେ ପହଞ୍ଚିଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ । ଶେରଗଡ଼ରେ ପହଞ୍ଚି ବନ୍ୟା ବିପନ୍ନଙ୍କୁ ଭେଟିବା ସହ ସେମାନଙ୍କ ସମସ୍ୟା ବୁଝିବାକୁ ଗସ୍ତ ଆରମ୍ଭ କରିଛନ୍ତି ନବୀନ ପଟ୍ଟନାୟକ ।ଶେରଗଡ଼ରେ ନବୀନଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ । ଶେରଗଡ଼ରେ ପହଞ୍ଚିବା ପରେ ପ୍ରଭାବିତଙ୍କ ସହ ନବୀନ କଥା ହୋଇଛନ୍ତି । ଅର୍ଣ୍ଣବ ପରବର୍ତ୍ତୀ ବନ୍ୟାରେ ଶହ ଶହ ଚାଷୀଙ୍କ ଧାନ ଚାଷ ଉଜୁଡ଼ି ଯାଇଛି । ନଷ୍ଟ ହୋଇଥିବା ଧାନକେଣ୍ଡା ଦେଖାଇ ନିଜର ଦୁଃଖ ଜଣାଇଛନ୍ତି ଚାଷୀ । କ୍ଷତିଗ୍ରସ୍ତ ଚାଷୀଙ୍କ ସହ କଥା ହୋଇ ଭାବପ୍ରବଣ ହୋଇପଡ଼ିଛନ୍ତି ନବୀନ ।ଶେରଗଡ଼ ପରେ ହିଞ୍ଜିଳିକାଟୁ ବ୍ଲକ୍ ର ନୂଆବୁରୁପଡ଼ା ଗ୍ରାମ ପଞ୍ଚାୟତ, ଆସିକା ଓ ସୋରଡ଼ା ବ୍ଲକ୍ ର ବାଲିଗୋଛା ଅଞ୍ଚଳ ଗସ୍ତ କରିବେ ବିଜେଡି ସୁପ୍ରିମୋ ।ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲ୍ଲାର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି । ବନ୍ୟାର ପ୍ରଭାବ ପଡ଼ିଛି ନବୀନଙ୍କ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ମଧ୍ୟ। ଅନେକଙ୍କ ଘରଦ୍ୱାର, ଚାଷଜମି ଓ ଜୀବନଜୀବିକା କ୍ଷତିଗ୍ରସ୍ତ ହୋଇଛି ।